ବାଲେଶ୍ୱର: ସକାଳୁ ସକାଳୁ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଜିରିତାଳ ଗାଁରେ ଅଭାବନୀୟ ଘଟଣା ଘଟିଛି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ନାବାଳକର ମୃତ୍ୟୁ ହୋଇଛି । ମୃତକ ନାବାଳକ ଜଣକ ହେଲେ ପ୍ରଭାକର ମହାରଣାଙ୍କ ପୁଅ ଆୟୁଷ ମହାରଣା (୧୨) । ଏ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ପ୍ରାପ୍ତ ପ୍ରାଥମିକ ସୂଚନା ମୁତାବକ, ପ୍ରଭାକର ମହାରଣାଙ୍କ ପୁଅ ଆୟୁଷ ତାଙ୍କର ନିର୍ମାଣଧୀନ କୋଠା ଘରେ ମଟରରେ ପାଣି ଉଠାଇ ପାଣି ଦେଉଥିଲେ । ଏହି ସମୟରେ ଅସାବଧନତା ବଶତଃ ତଳେ ପଡ଼ିଥିବା ବିଦ୍ୟୁତ ତାର ଉପରେ ଚଢ଼ି ଯାଇଥିଲେ । ଫଳରେ ଘଟଣା ସ୍ଥଳରେ ପଡ଼ି ଯାଇଥିଲେ । ତାଙ୍କ ମାଆ ପାଖ ପଡ଼ୋଶୀଙ୍କୁ ଡାକି ପୁଅକୁ ଉଦ୍ଧାର କରି ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ, ମାତ୍ର ନାବାଳକଟିକୁ ଡାକ୍ତର ମୃତ ଘୋଷଣା କରିଥିଲେ ।
ତେବେ ପ୍ରଭାକର ରାଜ୍ୟ ବାହାରେ ରହି ଏକ ଘରୋଇ କମ୍ପାନୀରେ କାମ କରନ୍ତି । ନାବାଳକର ଆକସ୍ମିକ ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଗାଁରେ ଶୋକର ଛାୟା ଖେଳି ଯାଇଛି ।