ଭୁବନେଶ୍ୱର: ରାଜ୍ୟରେ ବର୍ଷା ଜାରି ରହିଛି । ଝିପିଝିପି ବର୍ଷା ଫଳରେ ରାଜ୍ୟବସୀଙ୍କୁ ଆଶ୍ବସ୍ତି ମିଳିଛି । ରାଜ୍ୟରେ ବର୍ଷା ସହିତ କୋହଲା ପାଗ ମଧ୍ୟ ରହିଛି । ଆସନ୍ତା ୪ରୁ ୫ ଦିନରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁପାରେ ବୋଲି ଭାରତ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ମୌସୁମୀ ବାୟୁ କେରଳ ଛୁଇଁବାର ସମ୍ଭାବନା ଥିବାବେଳେ ଓଡ଼ିଶା ଖୁବଶୀଘ୍ର ଛୁଇଁବ ବୋଲି ଆଶଙ୍କା ରହିଛି । କିନ୍ତୁ ଏହି ଆଶଙ୍କାକୁ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ଦୂର କରିଛନ୍ତି ।
ସେ କହିଛନ୍ତି ଯେ କେରଳ ଛୁଇଁଲେ ବି ଓଡ଼ିଶାରେ ଛୁଇଁବାକୁ ବିଳମ୍ବ ହେବ । ରାଜ୍ୟରେ ଗତ କିଛି ଦିନ ହେବ ଜାରି ରହିଛି କାଳବୈଶାଖୀ ଜନିତ ବିଜୁଳି ଘଡ଼ଘଡ଼ି ବର୍ଷା ଓ ପବନ । ଏହି ସମୟରେ ତାପମାତ୍ରାରେ ହ୍ରାସ ଥିବାବେଳେ କିନ୍ତୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । କିନ୍ତୁ ଗତକାଲିଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଛି । ତେବେ ଆସନ୍ତା ୩ ଦିନ ଅର୍ଥାତ୍ ୨୩ ତାରିଖ ଯାଏଁ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । କେତେକ ସ୍ଥାନରେ ଘଣ୍ଟା ପ୍ରତି ୩୦ରୁ ୪୦କି.ମି. ବେଗରେ ପବନ ବହିବ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।
ରାଜ୍ୟରେ ତାତି ଓ ଗୁଳୁଗୁଳି ଅସହ୍ୟ ହେବାରେ ଲାଗିଥିଲା । ବର୍ଷା ଫଳରେ ସେଥିରେ ବ୍ରେକ ଲାଗିଛି ।