ମୁମ୍ବାଇ: ସାଉଥ୍ ସୁପରଷ୍ଟାର ପ୍ରଭାସ ଏବଂ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ୨୦୨୪ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ 'କଳକି ୨୮୯୮ ଏଡି'ରେ ଏକାଠି କାମ କରିଥିଲେ। ଏହି ଫିଲ୍ମଟି ସାରା ବିଶ୍ୱରେ ୧୦୦୦ କୋଟି ଟଙ୍କାରୁ ଅଧିକ ରୋଜଗାର କରିଥିଲା। ଏହି ଫିଲ୍ମ ପରେ, ଉଭୟ ପୁଣି ଥରେ ସ୍କ୍ରିନ୍ ସେୟାର କରିବାକୁ ଯାଉଥିବା ଖବର ଆସିଥିଲା। କିନ୍ତୁ ଏହା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏବେ ଜଣା ପଡ଼ିଛି ଯେ ଦୀପିକାଙ୍କୁ ସେହି ଫିଲ୍ମରୁ ବାଦ ଦିଆଯାଇଛି ଯେଉଁ ଫିଲ୍ମରେ ଉଭୟ କାମ କରିବାକୁ ଯାଉଥିଲେ ।
ସେହି ଫିଲ୍ମଟି ହେଉଛି 'ସ୍ପିରିଟ୍' ଯାହା ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଛି। ପ୍ରଭାସ ମୁଖ୍ୟ ଭୂମିକାରେ ଅଛନ୍ତି ଏବଂ ମହିଳା ନାୟିକା ପାଇଁ ଦୀପିକାଙ୍କ ନାମ ଉଠିଥିଲା। କିନ୍ତୁ ଏକ ରିପୋର୍ଟ ଅନୁସାରେ, ସେ ଆଉ ଏହି ଫିଲ୍ମର କାମ କରିବେନି । କିଛି ସମୟ ପୂର୍ବରୁ ଖବର ଆସିଥିଲା ଯେ ଦୀପିକା 'ସ୍ପିରିଟ୍' ପାଇଁ ୨୦ କୋଟି ଟଙ୍କା ନେଉଛନ୍ତି। ଏହା ବ୍ୟତୀତ ସେ ଫିଲ୍ମରେ ଲାଭ ଅଂଶ ମଧ୍ୟ ଦାବି କରିଛନ୍ତି। ଏହା ସହିତ ଦୀପିକା କେବଳ ୮ ଘଣ୍ଟାର ସିଫ୍ଟ କରିବେ ବୋଲି କହିଥିଲେ । କେବଳ ଏତିକି ନୁହେଁ, ଦୀପିକା ତେଲୁଗୁରେ ପଂକ୍ତି କହିବାକୁ ମଧ୍ୟ ମନା କରିଦେଇଥିଲେ। ଏସବୁ କାରଣରୁ, ସନ୍ଦୀପ ରେଡ୍ଡୀ ଭାଙ୍ଗା ନିରାଶ ହୋଇଗଲେ ଏବଂ ସେ ଦୀପିକାଙ୍କୁ ଫିଲ୍ମରୁ ବାହାର କରିବାର ନିଷ୍ପତ୍ତି ନେଲେ ।
ବର୍ତ୍ତମାନ, ଦୀପିକାଙ୍କ 'ସ୍ପିରିଟ୍'ରୁ ବାହାରିବା ସମ୍ପର୍କରେ କୌଣସି ଅଫିସିଆଲ ଆନାଉନ୍ସମେଣ୍ଟ କରାଯାଇ ନାହିଁ । ଏବେ ତାଙ୍କ ହାତରେ ଆଉ ଏକ ବଡ ଫିଲ୍ମ ଅଛି। ଫିଲ୍ମର ନାମ 'କିଂ', ଯେଉଁଥିରେ ଶାହରୁଖ ଖାନ ନଜର ଆସିବେ। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ମାଧ୍ୟମରେ ଶାହରୁଖଙ୍କ ଝିଅ ସୁହାନା ଖାନ ରୂପେଲି ପରଦାରେ ଡେବ୍ୟୁ କରିବେ । ଶାହରୁଖ, ଦୀପିକା, ସୁହାନାଙ୍କ ବ୍ୟତୀତ ଅନିଲ କପୁର, ଅଭିଷେକ ବଚ୍ଚନ, ଅରଶଦ ୱାର୍ସି ଭଳି ଷ୍ଟାରମାନେ ମଧ୍ୟ ଏହି ଫିଲ୍ମର ଏକ ଅଂଶ।