ନୂଆଦିଲ୍ଲୀ: ସାଉଥ୍ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କୁ ଛୁଟୁଛି ଶୁଭେଚ୍ଛା ସୁଅ । ଦୀର୍ଘ ଚାରି ବର୍ଷର ବିବାହ ବିଚ୍ଛେଦ ପରେ ତାଙ୍କ ଜୀବନକୁ ଖୁସି ଫେରିଛି । ପୁଣି ଥରେ ହାତକୁ ଦୁଇ ହାତ ହୋଇଛନ୍ତି ଅଭିନେତ୍ରୀ ସାମନ୍ଥା । ସେ ନିର୍ଦ୍ଦେଶକ ରାଜ ନିଦିମୋରୁଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି ।
ସାମନ୍ଥା ତାଙ୍କ ପ୍ରଶଂସକମାନଙ୍କୁ ସରପ୍ରାଇଜ୍ ଦେଇଛନ୍ତି । ସେ ସୋସିଆଲ୍ ମିଡ଼ିଆରେ ନିଜ ବିବାହ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ଉଭୟ ପରସ୍ପରକୁ ମୁଦି ପିନ୍ଧାଇବାର ଏବଂ ବରଣମାଳା ପିନ୍ଧିଥିବାର ଫଟୋ ରହିଛି । ଉଭୟ ଏକ ମନ୍ଦିରରେ ବିବାହ କରିଛନ୍ତି ।
ସାମନ୍ଥା ପ୍ରଥମେ ସାଉଥ୍ ଅଭିନେତା ନାଗା ଚୈତନ୍ୟଙ୍କୁ ବିବାହ କରିଥିଲେ । ୨୦୧୭ରେ ଉଭୟ ପରସ୍ପରର ହାତ ଧରିଥିଲେ । କିନ୍ତୁ ୨୦୨୧ରେ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଯାଇଥିଲା । ନାଗା ଚୈତନ୍ୟ ଅଭିନେତ୍ରୀ ଶୋବିତା ଧୁଲିପାଲାଙ୍କୁ ଦ୍ୱିତୀୟ ବିବାହ କରିଥିଲେ । କିନ୍ତୁ ସାମନ୍ଥା ଦୀର୍ଘ ଦିନ ଧରି ମାନସିକ ଅବସାଦରେ ରହିଥିଲେ । ଏହା ପରେ ତାଙ୍କ ଜୀବନରେ ରାଜ୍ ଆସିଥିଲେ ।ରାଜ୍ ‘ଦ ଫ୍ୟାମିଲି ମ୍ୟାନ୍’ ୱେବ୍ ସିରିଜ୍ ର ନିର୍ଦ୍ଦେଶକ ଅଟନ୍ତି । ସୁଟିଂ ସେଟରେ ଉଭୟଙ୍କ ମଧ୍ୟରେ ଦେଖା ସାକ୍ଷାତ ହୋଇଥିଲା । ରାଜଙ୍କର ଏହା ମଧ୍ୟ ଦ୍ୱିତୀୟ ବିବାହ ଅଟେ । ରାଜ ‘ଦ ଫ୍ୟାମିଲି ମ୍ୟାନ୍’, ‘ଫର୍ଜୀ’ ଏବଂ ‘ସିଟାଡେଲ୍-ହନୀ ବନୀ’ରେ ନିଜ ସହଯୋଗୀଙ୍କ ସହିତ ମିଶି ନିର୍ଦ୍ଦେଶନା ଦେଇଛନ୍ତି । ସେହିପରି ‘99’, ‘ଶୋର୍ ଇନ୍ ଦ ସିଟି’, ‘ଗୋ ଗୋଆ ଗନ୍’, ‘ହାପୀ ଏଣ୍ଡିଂ’ ଭଳି ସିନେମାରେ ମଧ୍ୟ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ।