ଶ୍ରମିକଙ୍କ ପାଇଁ କେନ୍ଦ୍ରସରକାରଙ୍କର ବଡ଼ ଭେଟି । ଚଳିତ ମାସ ସେପ୍ଟେମ୍ବର ୧୭ରୁ ଲାଗୁ ହେବ ବିଶ୍ୱକର୍ମା ଯୋଜନା । ଏହି ଯୋଜନା ମାଧ୍ୟମରେ କେବଳ ଓଡ଼ିଶାରୁ ୧ ଲକ୍ଷ କାରିଗର ଉପକୃତ ହେବା ନେଇ ଆକଳନ କରାଯାଇଛି । ଓଡ଼ିଶାର ଭୁବନେଶ୍ୱର, ସମ୍ବଲପୁର, ପୁରୀରେ ଆୟୋଜନ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ପାଖରେ ବିଶ୍ୱକର୍ମା ଯୋଜନାକୁ ପହଞ୍ଚାଇବା ପାଇଁ ପ୍ରୟାସ କରିବେ କେନ୍ଦ୍ର ସରକାର । ତେବେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗଦେବାକୁ ଥିବା ବେଳେ ସମ୍ବଲପୁରରେ ଜନ୍ ବର୍ଲା ଉପସ୍ଥିତ ରହିବେ ବୋଲି ସ୍ଥିର ହୋଇଛି । ସେହିଭଳି ପୁରୀରେ କେନ୍ଦ୍ରମନ୍ତ୍ରୀ ଏମ୍. ମହେନ୍ଦ୍ର ଭାଇ ଉପସ୍ଥିତ ରହିବେ ବୋଲି କୁହାଯାଇଛି । ଏହି ଯୋଜନା ମାଧ୍ୟମରେ କେବଳ ଓଡ଼ିଶାରୁ ୧ ଲକ୍ଷ କାରିଗର ଉପକୃତ ହେବା ନେଇ ଆକଳନ କରାଯାଇଛି । ଏନେଇ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସୂଚନା ଦେଇଛନ୍ତି ।
ଏବେ ଜାଣିବା ଏହି ବିଶ୍ୱକର୍ମା ଯୋଜନା କ’ଣ ?
ଏହି ପିଏମ ବିଶ୍ୱକର୍ମା ଯୋଜନାରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ଋଣ ସହାୟତା । କୌଳିକ ବୃତ୍ତି କରୁଥିବା ସମସ୍ତ ଲୋକ ହେବେ ଉପକୃତ । 'ବିଶ୍ୱକର୍ମା ଯୋଜନା' ଅଧୀନରେ ବୃତ୍ତିଗତ ବ୍ୟବସାୟୀଙ୍କୁ ସର୍ବାଧିକ ୫% ସୁଧରେ ୧ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯିବ। ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱକର୍ମା ଯୋଜନା ଲାଗୁ କରାଯିବ ବୋଲି କହିଥିଲେ। ‘ପିଏମ୍ ବିଶ୍ୱକର୍ମା’ ଯୋଜନା ପାଇଁ କେନ୍ଦ୍ର ସରକାର ୧୩,୦୦୦ କୋଟି ଟଙ୍କାର ସମ୍ପୂର୍ଣ୍ଣ ପାଣ୍ଠି ଯୋଗାଇ ଦେବେ । ‘ପିଏମ୍ ବିଶ୍ୱକର୍ମା’ ର ପରିସର ବେଶ ବ୍ୟାପକ ଏବଂ ଏହା ୧୮ଟି କାରିଗରୀ ଶିଳ୍ପକୁ ଅନ୍ତର୍ଭୁକ୍ତ କରିବ । ପିଏମ୍ ବିଶ୍ୱକର୍ମା ସାର୍ଟିଫିକେଟ୍ ଏବଂ ପରିଚୟ ପତ୍ର ଜରିଆରେ ବିଶ୍ୱକର୍ମା ମାନଙ୍କୁ ମାନ୍ୟତା ଦିଆଯିବ । ଦକ୍ଷତା ବିକାଶ ପାଇଁ ବିଶ୍ୱକର୍ମା ମାନଙ୍କୁ ଋଣ ସହାୟତା ଓ ପ୍ରଶିକ୍ଷଣ ଦିଆଯିବ ।
ପାରମ୍ପରିକ ଶିଳ୍ପରେ ନିୟୋଜିତ କାରିଗର ମାନଙ୍କୁ ସହାୟତା ପ୍ରଦାନ କରିବା ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ନିରନ୍ତର ଲକ୍ଷ୍ୟ ରହିଛି । କେବଳ କାରିଗର ଓ ଶିଳ୍ପୀ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ନୁହେଁ ବରଂ ସ୍ଥାନୀୟ ଉତ୍ପାଦ, କଳା ଓ ହସ୍ତଶିଳ୍ପ ମାଧ୍ୟମରେ ବହୁ ପୁରୁଣା ପରମ୍ପରା, ସଂସ୍କୃତି ଓ ବିବିଧ ଐତିହ୍ୟକୁ ବଞ୍ଚାଇ ରଖିବା ଓ ସମୃଦ୍ଧ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ।