ଏଣିକି ଜନ୍ମ ପ୍ରମାଣପତ୍ରରେ ସବୁ କିଛି କାର୍ଯ୍ୟ ହେବ । ଏଣିକି ଜନ୍ମ ପ୍ରମାଣପତ୍ରକୁ ସିଙ୍ଗଲ ଡକ୍ୟୁମେଣ୍ଟ ଭାବେ ବ୍ୟବହାର କରିହେବ । ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅକ୍ଟୋବର ୧ରୁ ପରିବର୍ତ୍ତିତ ନିୟମରେ କାର୍ଯ୍ୟ କରାଯିବ । ନାମଲେଖା, ଡ୍ରାଇଭିଂ ଲାଇସେନ୍ସ, ଭୋଟର ତାଲିକାରେ ଜନ୍ମ ପ୍ରମାଣ ପତ୍ର କାର୍ଯ୍ୟ କରିବ । ଡକ୍ୟୁମେଣ୍ଟ ଭେରିଫିକେସନ କ୍ଷେତ୍ରରେ ଜନ୍ମ ପ୍ରମାଣପତ୍ରର ଗୁରୁତ୍ୱ ବଢ଼ିବାକୁ ଯାଉଛି । ଏହି ନିୟମ ଅନୁସାରେ ଜନ୍ମ ପ୍ରମାଣପତ୍ରକୁ ସ୍କୁଲରେ ନାମଲେଖାଇବା, ଡ୍ରାଇଭିଂ ଲାଇସେନ୍ସ ଜାରି କରିବା, ଭୋଟର ଆଇଡି, ବିବାହ ପଞ୍ଜିକରଣ, ସରକାରୀ ନିଯୁକ୍ତି, ପାସପୋର୍ଟ ଓ ଆଧାର ତିଆରି କରିବା ସହିତ ଅନେକ ସ୍ଥାନରେ ଏକ ସିଙ୍ଗଲ ଡକ୍ୟୁମେଣ୍ଟ ଭାବେ ବ୍ୟବହାର କରାଯାଇ ପାରିବ ।
ଗତ ମୌସୁମୀ ଅଧିବେଶନ ସମୟରେ କେନ୍ଦ୍ର ସରକାର ସଂସଦରେ ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ସଂଶୋଧନ ବିଲ ୨୦୨୩ ପାରିତ କରିଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଏହାକୁ ଅନୁମୋଦନ କରିଥିଲେ । ଆସନ୍ତା ଅକ୍ଟୋବର ପହିଲାରୁ ଏହି ନୂଆ ନିୟମ ଲାଗୁ ହେବାକୁ ଯାଉଛି । ପଞ୍ଜିକୃତ ଜନ୍ମ-ମୃତ୍ୟୁର ଜାତୀୟ ଓ ରାଜ୍ୟସ୍ତରୀୟ ଡାଟା ବେସ ତିଆରି କରିବା କ୍ଷେତ୍ରରେ ଏହି ନୂଆ ନିୟମ ଯଥେଷ୍ଟ ସହାୟକ ହେବ । ଏହାଦ୍ୱାରା ଜନସାଧାରଣଙ୍କୁ ସଠିକ ଭାବେ ସେବା ପ୍ରଦାନ କରାଯାଇ ପାରିବ ।
ଏହି ଆଇନ ଲାଗୁ ହେବା ଫଳରେ ଅନେକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ । ଏହାର ହାର୍ଡକପି ପାଇଁ ଅନେକ ଦିନ ପର୍ଯ୍ୟନ୍ତ ଏ ଅଫିସରୁ ସେ ଅଫିସକୁ ଦୌଡ଼ିବାକୁ ପଡ଼ୁଛି କିନ୍ତୁ ଏବେ ଏହି ସାର୍ଟିଫିକେଟ ଡିଜିଟାଲ ରୂପରେ ମିଳିପାରିବ । ବର୍ତ୍ତମାନ ସୁଦ୍ଧା ଆଧାର କାର୍ଡକୁ ପରିଚୟ ପତ୍ର ଭାବେ ପ୍ରତ୍ୟେକ ସ୍ଥାନରେ ବ୍ୟବହାର କରାଯାଇ ଆସୁଥିଲା । ଏହା ମାଧ୍ୟମରେ ନିଜର ଅନ୍ୟ ଡକ୍ୟୁମେଣ୍ଟ ଓ ଆକାଉଣ୍ଟକୁ ଲିଙ୍କ କରିବାକୁ ଜରୁରୀ ହେଉଥିଲା । ସେହିପରି ଏବେ ଜନ୍ମ-ମୃତ୍ୟୁ ସାର୍ଟିଫିକେଟ ଜନ୍ମ ଓ ମୃତ୍ୟୁର ପ୍ରମାଣ ପାଇଁ ପ୍ରତ୍ୟେକ ସ୍ଥାନରେ ସର୍ବମାନ୍ୟ ପରିଚୟପତ୍ର ଭାବେ କାମ କରିବ । ଏହି ନିୟମ ଲାଗୁ କରିବା ପଛରେ ଉଦ୍ଦେଶ୍ୟ ହେଉଛି, କେନ୍ଦ୍ର ଓ ରାଜ୍ୟ ସ୍ତରରେ ଜନ୍ମ ଓ ମୃତ୍ୟୁର ଡାଟାବେସ ତିଆରି କରିବା । ଏହାଦ୍ୱାରା ଦେଶରେ ଜନ୍ମ ଓ ମୃତ୍ୟୁର ଡାଟାବେସ ପ୍ରସ୍ତୁତ କରାଯାଇପାରିବ । ଆଉ ରାସନ କାର୍ଡ, ଭୋଟର ଆଇଡି ଓ ଅନ୍ୟ କୌଣସି ଡାଟାବେସ ତିଆରି କରିବା ବି ସହଜ ହେବ ।