ଗିରଫ ହେଲା ହାଟଡିହି ବ୍ଲକ ପିଇଓ। କେନ୍ଦୁଝର ଜିଲ୍ଲା ହାଟଡିହିର ବଞ୍ଚୋ ପିଇଓ ଜିତେନ୍ଦ୍ର କୁମାର ଜେନାଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି। ବିଭିନ୍ନ ବ୍ୟାଙ୍କ ଓ ଇନସ୍ୟୁରାନ୍ସରେ ତାଙ୍କର ୩୪ ଲକ୍ଷ ଟଙ୍କା ଥିବା ଜଣାପଡିଛି। ବଞ୍ଚୋ ପିଇଓ ଜିତେନ୍ଦ୍ର ଜେନାଙ୍କର ୬ ଦାମୀ ପ୍ଲଟ, ତିନିମହଲା ଘର ଓ ମାର୍କେଟ କମ୍ପ୍ଲେକ୍ସ ରହିଛି। ହାଟଡିହିର ବିରଞ୍ଚିପୁରରେ ରହିଛି ତିନି ମହଲା କୋଠା। ବସନ୍ତିଆ ବଜାରରେ ୫ ହଜାର ବର୍ଗଫୁଟରେ ଦିତାଲା ମାର୍କେଟ କଂପ୍ଲେକ୍ସ ମଧ୍ୟ ରହିଛି। ଏଠାରେ ମଧ୍ୟ ତାଙ୍କର ଦୁଇଟି ଗୋଦାମ ଭଡ଼ାରେ ଲାଗିଛି। ଏହା ବ୍ୟତୀତ ବିଦ୍ୟାଧରପୁରରେ ରହିଛି ଗୋଟିଏ ଇଲେକ୍ଟ୍ରୋନିକ୍ସ ସପ।
ଗତକାଲି ଘରେ ଭିଜିଲାନ୍ସ ରେଡ ବେଳେ ମିଳିଛି ଶହେ ଗ୍ରାମର ସୁନା ଅଳଙ୍କାର। ଏହିସହ ଗୋଟିଏ ଦାମୀ କାର୍ ଓ ୩୪ ଲକ୍ଷର ଜମା ଟଙ୍କାଙ୍କୁ ଜବତ କରାଯାଇଛି। ଆୟଠାରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ଚଢାଉ କରିଥିଲା ଭିଜିଲାନ୍ସ। ବଞ୍ଚୋ ପିଇଓ ଜିତେନ୍ଦ୍ର ଜେନାଙ୍କ ୩ କୋଟିରୁ ଅଧିକ ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଛି।
କିଛି ମାସ ହେବ ଜିତେନ୍ଦ୍ରଙ୍କ ବିରୋଧରେ ଶହ ଶହ ପିଟିସନ୍ ଭିଜିଲାନ୍ସ ଅଫିସ୍କୁ ଆସୁଥିଲା । ସବୁ ପିଟିସନ୍ରେ ଉଲ୍ଲେଖ ରହୁଥିଲା, ଜିତେନ୍ଦ୍ର କୋଟି କୋଟି ଟଙ୍କାର ସମ୍ପତ୍ତି ବେଆଇନ୍ ଭାବେ ଠୁଳ କରିଛନ୍ତି। ଉକ୍ତ ପିଟିସନ୍ର ସତ୍ୟତା ନେଇ ଭିଜିଲାନ୍ସ ଆରମ୍ଭ କରିଥିଲା ତନାଘନା। ଏହାପରେ ବାବୁ ଜିତେନ୍ଦ୍ରଙ୍କ କଳା ସମ୍ପତ୍ତିର ତାଲିକା ଖୋଲିଥିଲା। କୋର୍ଟରୁ ଅନୁମତି ପରେ ଭିଜିଲାନ୍ସ ଜିତେନ୍ଦ୍ରଙ୍କ ଘରେ ଚଢ଼ଉ କରିଥିଲା ।
ଜିତେନ୍ଦ୍ର କୁମାର ଜେନା ୧୯୯୫ରେ ହଦଗଡ଼ ପଞ୍ଚାୟତ ସଂପାଦକ ଭାବେ ଚାକିରି ଆରମ୍ଭ କରିଥିଲେ। ସେତେବେଳେ ତାଙ୍କୁ ମାସିକ ୨୨ଶହ ଟଙ୍କା ଦରମା ମିଳୁଥିଲା। ୨୦୦୯ରେ ତାଙ୍କୁ ପିଇଓ ପଦକୁ ପଦୋନ୍ନତି ମିଳିଥିଲା। ଏବେ କିନ୍ତୁ ନିଜ ଆୟଠୁ ବହୁ ଗୁଣ ଅଧିକ ସଂପତ୍ତି କମାଇଛନ୍ତି। ହେଲେ ଏସବୁ ସଂପତ୍ତି କେମିତି କମାଇଲେ ତାର କୌଣସି ସନ୍ତୋଷଜନକ ଉତ୍ତର ପିଇଓ ଜିତେନ୍ଦ୍ର ଜେନା ଭିଜିଲାନସକୁ ଦେଇପାରିନଥିଲେ।
ଅଧିକ ପଢନ୍ତୁ: ଅତିରିକ୍ତ ତହସିଲଦାରଙ୍କ ଅମାପ ସମ୍ପତ୍ତି; ଚଢ଼ାଉ ବେଳେ ଘରୁ ମିଳିଲାଣି ପୁଳା ପୁଳା ସୁନା ସହିତ ଲକ୍ଷାଧିକ ଟଙ୍କା