ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରର ବିଦେଶୀ ଗଞ୍ଜେଇ ଚୋରା ଚାଲାଣର ଗଳା ବାଟ ସାଜିଛି । କ୍ରମାଗତ ଦୁଇ ଦିନ ହେବ ବିମାନ ବନ୍ଦରରୁ ମାରିଜୁଆନା ଜବତ ହେଉଛି । ଆଜି ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ୩ କିଲୋଗ୍ରାମ ୯୯୦ ଗ୍ରାମ ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ ହୋଇଛି । ଯାହାର ବଜାର ମୂଲ୍ୟ ପ୍ରାୟ ୪ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି ।
ଗୁଇନ୍ଦା ବିଭାଗକୁ ଖବର ମିଳିଥିଲା ଯେ ଭୁବନେଶ୍ୱର ବିମାନବନ୍ଦର ଦେଇ ହାଇଡ୍ରୋପୋନିକ୍ ଗଞ୍ଜେଇ ଚୋରା ଚାଲାଣ କରାଯାଉଛି । ଏହା ପରେ କଷ୍ଟମ ବିଭାଗ ସଜାଗ ହୋଇଥିଲା । ବ୍ୟାଙ୍କକରୁ ଆସୁଥିବା ଜଣେ ଯାତ୍ରୀଙ୍କ ଠାରୁ ହାଇଡ୍ରୋପୋନିକ୍ ଗଞ୍ଜେଇ ମିଳିଥିଲା । ମେଟାଲିକ୍ ସ୍କାନରରୁ ବର୍ତ୍ତିବା ପାଇଁ ଲଗେଜ୍ ଭିତରେ ଏକ ସିକ୍ରେଟ୍ ଚ୍ୟାମ୍ବର କରି ଚକୋଲେଟ୍ ପ୍ୟାକେଟରେ ଗଞ୍ଜେଇ ଲୁଚାଯାଇଥିଲା । ଯାଞ୍ଚ ବେଳେ ଉକ୍ତ ବ୍ୟାଗରୁ ଚାରୋଟି ପ୍ୟାକେଟ୍ ଗଞ୍ଜେଇ ମିଳିଥିଲା ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ମଧ୍ୟ ବିମାନ ବନ୍ଦରରୁ ମାରିଜୁଆନା ଜବତ ହୋଇଥିଲା । ଯାତ୍ରୀଙ୍କ ବ୍ୟାଗରୁ ମାରିଜୁଆନା ଜବତ କରାଯାଇଥିଲା । ଜବତ ମାରିଜୁଆନାର ମୂଲ୍ୟ ୪କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଥାଇଲାଣ୍ଡରୁ ଏହି ମାରିଜୁଆନା ଭୁବନେଶ୍ଵର ଆସୁଥିଲା ।