ଭୁବନେଶ୍ୱର: ଜାଡରେ ଥରୁଛି ପୂରା ଓଡ଼ିଶା । ଉପକୂଳରୁ ଉପାନ୍ତ ସବୁଠି ହାଡଭଙ୍ଗା ଶୀତ । ଆସନ୍ତା ୪ ଦିନରେ ୨ରୁ ୩ ଡିଗ୍ରୀ କମିପାରେ ପାରଦସ୍ତର । ଏହାସହ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହିତ ହେବ । ପ୍ରବଳ ଥଣ୍ଡା ସହ ଅନେକ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି । ଦିନ ତମାମ ଖରାରେ ଲୋକଙ୍କ ସମୟ ବିତୁଥିବା ବେଳେ ସନ୍ଧ୍ୟା ନଇଁଲେ ନିଆଁ ପାଲଟିଛି ସାହାରା । ଏହାସହ ହାଡଭଙ୍ଗା ଶୀତ ସହ ଘନ କୁହୁଡିର ଏକ ଆସ୍ତରଣ ସକାଳ ୧୦ଟା ପର୍ଯ୍ୟନ୍ତ ଢାଙ୍କି ରଖୁଛି l
ଜାନୁଆରୀ ୧ରେ ବିଭିନ୍ନ ସ୍ଥାନରେ ଘନକୁହୁଡ଼ି ଦେଖିବାକୁ ମିଳିବ । ୧୦ ଡିଗ୍ରୀ ତଳେ ୧୫ ସହର ପାରଦ ରହିଥିବା ବେଳେ ଘନକୁହୁଡ଼ି ନେଇ ୧୦ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ ଏବଂ ବାଲେଶ୍ବର ଜିଲ୍ଲାର ବିଚ୍ଛିନ୍ନ ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ଅଧିକ ରହିଛି । ଏହାସହ ଅନୁଗୁଳ ଏବଂ ଝାରସୁଗୁଡ଼ା ଜିଲ୍ଲା ଉପରେ ବିଭିନ୍ନ ସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହେବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।