କଟକ: ଟାଟା ପାୱାର ବିରୋଧରେ ରୁଜୁ ହେଲା ଜନସ୍ୱାର୍ଥ ମାମଲା। ରାଜ୍ୟରେ ବିଦ୍ୟୁତ ଉପଭୋକ୍ତାଙ୍କ ଉପରେ ଲଦି ଦିଆଯାଉଥିବା ଅତିରିକ୍ତ ଆର୍ଥିକ ବୋଝକୁ ନେଇ ଏବେ ମାମଲା ହାଇକୋର୍ଟରେ ପହଞ୍ଚିଛି। ସ୍ମାର୍ଟ ମିଟର ଏବଂ ଅତିରିକ୍ତ ସୁରକ୍ଷା ଜମାକୁ ବିରୋଧ ସହ ତୁରନ୍ତ ପ୍ରତ୍ୟାହାର ଦାବିରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ମଙ୍ଗଳବାର ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଆଇନ ଏବଂ ଓଡ଼ିଶା ବିଦ୍ୟୁତ ନିର୍ଦ୍ଦେଶାବଳୀର ଉଲ୍ଲଙ୍ଘନ ଅଭିଯୋଗରେ ହାଇକୋର୍ଟରେ ଭଏସ ଅଫ କଟକ ପକ୍ଷରୁ ମାମଲା ଦାୟର ହୋଇଛି। ଏହି ଜନ ସ୍ବାର୍ଥ ମାମଲାରେ ଶକ୍ତି ସଚିବ, ଟାଟା ପାୱାର ଏବଂ ଓଇଆରସି ପକ୍ଷଭୁକ୍ତ କରାଯାଇଛି।
TPCODL ପକ୍ଷରୁ ଜାରି କରାଯାଇଥିବା ଅତିରିକ୍ତ ସୁରକ୍ଷା ଜମା ବା ASD ନୋଟିସ୍ ଏବଂ ସ୍ମାର୍ଟ ମିଟର ଲଗାଇବା ପ୍ରକ୍ରିୟାକୁ ବେଆଇନ ଦର୍ଶାଇ ସିଦ୍ଧାର୍ଥ ମହାନ୍ତି ଓ ସୌମ୍ୟଦୀପ ଘୋଷଙ୍କ ପକ୍ଷରୁ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ପୂର୍ବରୁ CESU ସମୟରେ ସୁରକ୍ଷା ଜମା ଦିଆଯାଇଥିବା ସତ୍ତ୍ୱେ, ବର୍ତ୍ତମାନ ଉପଭୋକ୍ତାଙ୍କୁ ୧୦୦୦ ଟଙ୍କାରୁ ନେଇ ହଜାର ହଜାର ଟଙ୍କା ପର୍ଯ୍ୟନ୍ତ ASD ମଗାଯାଉଛି। ଏହି ଦାବି ନୋଟିସ୍ରେ ବ୍ୟବହାରର ସଠିକ୍ ସମୟସୀମା ଉଲ୍ଲେଖ ନାହିଁ ଏବଂ ଏହା ବିଦ୍ୟୁତ ଅଧିନିୟମ ୨୦୦୩ର ଧାରା ୪୭ର ଉଲ୍ଲଂଘନ କରୁଛି ବୋଲି ଆବେଦନରେ ଦର୍ଶାଯାଇଛି। ଏହା ସହ ଉପଭୋକ୍ତାଙ୍କ ସମ୍ମତି କିମ୍ବା ଯଥେଷ୍ଟ ସାର୍ବଜନୀନ ସୂଚନା ବିନା ସ୍ମାର୍ଟ ମିଟର ଲଗାଯାଉଥିବାରୁ ଏହାକୁ ମଧ୍ୟ ଚ୍ୟାଲେଞ୍ଜ କରାଯାଇଛି।
ଟାଟା ପାୱାର ୨୦୧୮ ରୁ ୨୦୨୫ ମଧ୍ୟରେ ପ୍ରାୟ ୭,୨୧୫ କୋଟି ଟଙ୍କାର ଅଧିକ ଶୁଳ୍କ ଆଦାୟ କରି ବ୍ୟାଙ୍କରେ ରଖିଛି। ଏତେ ପରିମାଣର ଟଙ୍କା ଗ୍ରାହକଙ୍କୁ ଫେରସ୍ତ ନକରି ପୁଣି ASD ମାଗିବା ଅଯୌକ୍ତିକ ବୋଲି ଆବେଦନକାରୀ କହିଛନ୍ତି। ASD ନଦେଲେ ବିଦ୍ୟୁତ ସଂଯୋଗ କାଟି ଦେବା ପାଇଁ ଧମକ ଦିଆଯାଉଛି, ଯାହା ସମ୍ବିଧାନର ଧାରା ୧୪ ଏବଂ ୨୧ ଅନୁଯାୟୀ ମୌଳିକ ଅଧିକାରର ଉଲ୍ଲଂଘନ ବୋଲି ଦର୍ଶାଇ ASD ନୋଟିସ୍କୁ ରଦ୍ଦ କରିବା ସହ ସ୍ମାର୍ଟ ମିଟର ସ୍ଥାପନ ପୂର୍ବରୁ ଉପଯୁକ୍ତ ସଚେତନତା ଏବଂ ନିୟମାବଳୀ ପାଳନ କରିବାକୁ କୋର୍ଟଙ୍କ ନିକଟରେ ପ୍ରାର୍ଥନା କରାଯାଇଛି। ଏଥିସହ ASD ପୈଠ ନକରିବା କାରଣରୁ କୌଣସି ଗ୍ରାହକଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ନକରିବାକୁ ନିର୍ଦ୍ଦେଶ ଦେବା ପାଇଁ ହାଇକୋର୍ଟଙ୍କୁ ପ୍ରାର୍ଥନା କରାଯାଇଛି।
ସୂଚନା ମୁତାବିକ, ଓଡି଼ଶା ବିଦ୍ୟୁତ ସେବାରେ ନିୟୋଜିତ ଥିବା ଟାଟା ପାୱାର ଅତିରିକ୍ତ ସୁରକ୍ଷା ଜମା ଟଙ୍କା ଆଦାୟ ପାଇଁ ନୋଟିସ ଦେବା ପରେ ଉପଭୋକ୍ତା ମହଲରେ ଅସନ୍ତୋଷ ବୃଦ୍ଧି ପାଇଛି। ଏପ୍ରସଙ୍ଗରେ ରାଜନୀତି ମଧ୍ୟ ଜୋର ଧରିଛି। ବିରୋଧୀ ବିଜେଡି ଓ କଂଗ୍ରେସ, ଉପଭୋକ୍ତା ମହାସଂଘ ସହିତ ବୁଦ୍ଧିଜୀବୀଗଣ ରାଜରାସ୍ତାକୁ ଓହ୍ଲାଇଛନ୍ତି। ବିରୋଧ ପ୍ରଦର୍ଶନ କରିବା ସହ ପ୍ରତ୍ୟାହାର ପାଇଁ ଓଇଆରସି ଓ ଟାଟା ପାୱାର ନିକଟରେ ଦାବି କରିଛନ୍ତି।
ଅଧିକ ପଢନ୍ତୁ: କୁହୁଡ଼ି ପାଇଁ ବାତିଲ ହେଉଛି ବିମାନ, ନିର୍ଦ୍ଦେଶନାମା ଜାରି କଲା ବେସାମରିକ ମନ୍ତ୍ରଣାଳୟ