ପୁରୀ: ଆଉ ଗୋଟିଏ ଦିନ ପରେ ନୂତନ ବର୍ଷ ପାଦ ଥାପିବ । ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଏସପି ପ୍ରତୀକ ସିଂହ କହିଛନ୍ତି ।
ଏସପିଙ୍କ ସୂଚନା ମୁତାବକ, ନୂଆବର୍ଷରେ ଭିଡ଼ ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୩୩୪ଟି ସିସିଟିଭି କ୍ୟାମେରା ଲଗାଯାଇଥି । ମନ୍ଦିର ଭିତରେ ୧୫୨ଟି ଏବଂ ବାହାରେ ୧୯୨ଟି କ୍ୟାମେରା ଲଗାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରାୟ ଏକ ମାସ ଧରି ପ୍ରସ୍ତୁତି କରାଯାଉଛି । ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ନଜରରେ ରଖି ସମସ୍ତ ପ୍ରକାର ସୁବିଧା କରାଯାଇଛି । ପାନୀୟ ଜଳ, ଫ୍ୟାନ୍, ଜୋତା ଷ୍ଟାଣ୍ଡ ଏବଂ ପାର୍କିଂର ବ୍ୟବସ୍ଥା ରହିଛି । ସିଂହଦ୍ୱାର ପଟେ ପ୍ରବେଶ ପଥ ରହିବ । ମାର୍କେଟ୍ ଛକ ନିକଟରୁ ଧାଡ଼ିରେ ଯାଇ ଶ୍ରଦ୍ଧାଳୁମାନେ ଦର୍ଶନ କରିବେ ।
ନୂଆବର୍ଷରେ ପ୍ରାୟ ୩.୫ ରୁ ୪ ଲକ୍ଷ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଓଡ଼ିଶା ପୋଲିସ ପକ୍ଷରୁ ୬୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସରୁକ୍ଷା ବ୍ୟବସ୍ଥାରେ ୧୦ ଜଣ ଅତିରିକ୍ତ ଏସପି, ୩୩ ଜଣ ଡିଏସପି ଏବଂ ୩ ଶହରୁ ଅଧିକ ପୋଲିସ ଅଧିକାରୀଙ୍କ ଏକ ସ୍ୱତନ୍ତ୍ର କମାଣ୍ଡ ଗଠନ ହୋଇଛି । ୬୨ ଜଣ ଇନ୍ସପେକ୍ଟରଙ୍କୁ ସୁରକ୍ଷା ଦାୟିତ୍ୱରେ ରଖାଯାଇଛି । ଜରୁରୀକାଳୀନ ପରିସ୍ଥିତି ଏବଂ ଉପକୂଳ ସୁରକ୍ଷା ପାଇଁ ଓଡ୍ରାଫ୍ (ODRAF) ଏବଂ ଏସଟିଏଫ୍ (STF) ୟୁନିଟକୁ ସାମିଲ କରାଯାଇଛି । ଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ଟ୍ରାଫିକ କଟକଣା, ନିର୍ଦ୍ଦିଷ୍ଟ ପାର୍କିଂ ଜୋନ୍ ଏବଂ ବାରିକେଡ୍ ଓ ପବ୍ଲିକ ଆଡ୍ରେସ ସିଷ୍ଟମ ମାଧ୍ୟମରେ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଛି । ମନ୍ଦିର ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ଏବଂ ବେଳାଭୂମିରେ ଏକତ୍ରିତ ହେଉଥିବା ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ଏହି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିସହିତ, ପର୍ବର ପବିତ୍ରତା ବଜାୟ ରଖିବା ପାଇଁ ଅସାମାଜିକ କାର୍ଯ୍ୟକଳାପ ବିରୋଧରେ 'ଜିରୋ ଟଲରାନ୍ସ' (ଶୂନ୍ୟ ସହନଶୀଳତା) ନୀତି ଆପଣାଯାଇଛି ।
ନୂଆବର୍ଷ ପାଇଁ ଶ୍ରୀଜୀଉମାନଙ୍କର ସଅଳ ନୀତିକାନ୍ତି ପାଇଁ ସ୍ଥିର ହୋଇଛି । ଡିସେମ୍ବର ୩୧ରେ ମାତ୍ର ୩ ଘଣ୍ଟା ନିଦ୍ରା ଯିବେ ଶ୍ରୀଜୀଉ । ଡିସେମ୍ବର ୩୧ ତାରିଖରେ ରାତି ୧୧ ଟାରେ ପହୁଡ ହୋଇ ରାତ୍ର ୨ ଟାରେ ଦ୍ୱାର ଫିଟିବ । ଜାନୁୟାରୀ ୧ରେ କେବଳ ବାହାରକାଠରୁ ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ ।