ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପର୍ଯ୍ୟଟକଙ୍କ ପାଇଁ ଆହୁରି ଆକର୍ଷଣ କରାଯିବ। ଏହାକୁ ବିଶ୍ବସ୍ତରୀୟ ପ୍ରାଣୀ ଉଦ୍ୟାନରେ ପରିଣତି କରିବାକୁ ପ୍ରୟାସ କରାଯାଉଛି। ଏଥିଲାଗି ଖର୍ଚ୍ଚ ହେବ ୧୨୦ କୋଟି ଟଙ୍କା। ବର୍ଷକ ମଧ୍ୟରେ ବିକଶିତ ହେବ ଭିତ୍ତିଭୂମି ଓ ଆନୁଷଙ୍ଗିକ ବ୍ୟବସ୍ଥା। ଦେଶବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଗଣ୍ଡା, ଚିତା, ବିଦେଶୀ ମାଙ୍କଡ଼ ଆଦି ଅଣାଯିବ। ନନ୍ଦନକାନନର ୬୬ତମ ପ୍ରତିଷ୍ଠା ଦିବସ ପରିପ୍ରେକ୍ଷୀରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବିଭିନ୍ନ ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି।
ସେହିପରି ଉତ୍ତର-ପୂର୍ବ ଦୃଶ୍ୟପଟ ପାନୋରମା ଖୁଆଡ଼ ସମେତ ୨୦ ଖୁଆଡ଼ ଉଦ୍ଘାଟନ ପରେ ସେଥିରେ ଜୀବଜନ୍ତୁ ଛଡ଼ା ଯାଇଛି। ଏହାସହ ନନ୍ଦନକାନନରେ ଜନ୍ମ ହୋଇଥିବା ବାଘ, ସିଂହ, ସିମ୍ପାଞ୍ଜି ଆଦିଙ୍କ ଶାବକଙ୍କ ନାମକରଣ ମଧ୍ୟ କରାଯାଇଥିଲା। ବାଘୁଣୀ ଅଙ୍କିତାର ଶାବକ ନାମ କାହ୍ନା, ବାଘୁଣୀ ରୁପାର ୨ଶାବକ ନାମ ଯଥାକ୍ରମେ ଅରୁଣ ଓ ଅର୍ଜୁନ, ବାଘୁଣୀ ମୌସୁମୀର ଶାବକ ନାମ ଅନନ୍ୟା, ସିଂହୀ ରେୱାର ୨ଶାବକ ନାମ ରକି ଓ ଲକି, ସିମ୍ପାଞ୍ଜି ରାକ୍ଷୀର ଶାବକ ନାମ ପୁଷ୍ପା ଓ ସିମ୍ପାଞ୍ଜି ଦୁର୍ଗାର ଶାବକ ନାମ ସୂରଜ ବୋଲି ମନ୍ତ୍ରୀ ଘୋଷଣା କରିଥିଲେ।
୧୨୦ କୋଟି ଟଙ୍କାରେ କାଞ୍ଜିଆ ହ୍ରଦରୁ ବର୍ଷା ପାଣି ନିଷ୍କାସନ ପାଇଁ ଡ୍ରେନ ନିର୍ମାଣ ସହ ନୂତନ ଖୁଆଡ଼ ନିର୍ମାଣ ଓ ପୁରୁଣା ଖୁଆଡ଼ ନବୀକରଣ କରାଯିବ। ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟା ଓ କ୍ରୟ କରି ଶୀଘ୍ର ପ୍ରାଣୀ ଉଦ୍ୟାନକୁ ଦେଶବିଦେଶରୁ ଚିତା, ଗଣ୍ଡା, ଗୋଲ୍ଡେନ୍ ମାଙ୍କଡ଼, ଚଷମା ମାଙ୍କଡ଼ ଆଦି ଆଣିବା ପାଇଁ ଯୋଜନା ଚାଲିଛି। ନନ୍ଦନକାନନ ପକ୍ଷରୁ ନନ୍ଦନକାନନ ଉପରେ କ୍ଷୁଦ୍ର ଚଳଚ୍ଚିତ୍ର ଓ ନନ୍ଦନକାନନ ଶିକ୍ଷା ବିଭାଗ ପକ୍ଷରୁ ମୁକ୍ତାକାଶ ପାଠଶାଳା ଉପରେ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଚଳିତବର୍ଷ ନନ୍ଦନକାନନରେ ରହୁଥିବା ଜୀବଜନ୍ତୁଙ୍କୁ ୬୯ଜଣ ବ୍ୟକ୍ତି ପୋଷ୍ୟଭାବେ ଗ୍ରହଣ କରିଛନ୍ତି।
ଅଧିକ ପଢନ୍ତୁ: ନନ୍ଦନକାନନ ପ୍ରତିଷ୍ଠା ଦିବସ ନୂଆ ଜନ୍ତୁର ନାଁ ଦେଲେ ଜଙ୍ଗଲ ପରିବେଶ ମନ୍ତ୍ରୀ