ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବୁଧବାର ବାଂଲଦେଶ ଗସ୍ତ କରିବେ । ଏଠାରେ ସେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲିଦା ଜିୟାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବେ । ବୈଦେଶିକ ମନ୍ତ୍ରଣାଳୟ ମଙ୍ଗଳବାର ଏହାର ସୂଚନା ଦେଇଛି । ଭାରତ ସରକାର ଓ ଭାରତୀୟଙ୍କ ପ୍ରତିନିଧିତ୍ୱ କରିବେ ଜୟଶଙ୍କର । ଦୁଇ ଦେଶ ମଧ୍ୟରେ ନିକଟ ଘଟଣାକ୍ରମକୁ ଦୃଷ୍ଟିରେ ରଖି ଜୟଶଙ୍କରଙ୍କ ବେଗମ ଜିୟାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ମହତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି । ପିଏମ ମୋଦୀ ମଧ୍ୟ ବେଗମ ଜିୟାଙ୍କ ନିଧନରେ ଶୋକ ବ୍ୟକ୍ତ କରି ତାଙ୍କ ପରିଜନ ପ୍ରତି ସମବେଦନା ବ୍ୟକ୍ତ କରିଛନ୍ତି ।
ସୂଚନାଯୋଗ୍ୟ, ବାଂଲାଦେଶର ରାଷ୍ଟ୍ରବାଦୀ ପାର୍ଟି(ବିଏନପି) ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରମୁଖ ଥିଲେ ବେଗମ ଖାଲିଦା ଜିୟା । ତିନି ଥର ପ୍ରଧାନମନ୍ତ୍ରୀ ରହି ସାରିଥେିବା ଜିୟାଙ୍କ ମଙ୍ଗଳବାର ସକାଳେ ଢାକାରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ଖାଲିଦା ଜିୟାଙ୍କୁ ବୁଧବାର କବର ଦିଆଯିବ । ତାଙ୍କୁ ସ୍ୱାମୀ ତଥା ପୂର୍ବତନ ରାଷ୍ଟ୍ରପତି ଜିୟାଉର ରେହମାନଙ୍କ କବର ନିକଟରେ କବର ଦିଆଯିବ । ଅନ୍ତରୀଣ ସରକାର ମଙ୍ଗଳବାର ଏହାର ସୂଚନା ଦେଇଛନ୍ତି । ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଜିୟା ବାଂଲାଦେଶରେ ଗଣତନ୍ତ୍ର ସ୍ଥାପନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ସେ ଦଶନ୍ଧି ଧରି ବାଂଲାଦେଶ ରାଜନୀତିରେ ନିଜର ଦବଦବା ବଜାୟ ରଖିଥିଲେ ।
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କ ନିଧନରେ ଶୋକ ବ୍ୟକ୍ତ କରିଥିଲେ । ସେ କହିଥିଲେ, ପଡୋଶୀ ଦେଶର ବିକାଶ ଓ ଭାରତ-ବାଂଲାଦେଶ ସମ୍ବନ୍ଧରେ ଖାଲିଦାଙ୍କ ଯୋଗଦାନକୁ ସର୍ବଦା ସ୍ମରଣ କରାଯିବ । ତାଙ୍କର ନିଧନ ଖବର ଶୁଣି ବହୁତ ଦୁଃଖ ଲାଗିଲା । ତାଙ୍କ ପରିବାର ଓ ବାଂଲାଦେଶର ସମସ୍ତ ଲୋକଙ୍କ ପ୍ରତି ଆମର ହାର୍ଦ୍ଦିକ ସମବେଦନା । ଈଶ୍ୱର ତାଙ୍କ ପରିବାରକୁ ଏହି ଦୁଃଖଦ ସମୟରେ ସହିବାର ଶକ୍ତି ଦିଅନ୍ତୁ ।
Also read: କୁହୁଡ଼ି ପାଇଁ ବାତିଲ ହେଉଛି ବିମାନ, ନିର୍ଦ୍ଦେଶନାମା ଜାରି କଲା ବେସାମରିକ ମନ୍ତ୍ରଣାଳୟ