ପୁରୀ : ରାତି ପାହିଲେ ନୂଆ ବର୍ଷ। ଏଥିପାଇଁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଜୋରଦାର ହୋଇଛି। ଏପରିକି ନୂଆ ବର୍ଷକୁ ଧୁମଧାମରେ ପାଳନ କରିବା ପାଇଁ ଦୋକାନ ବଜାର ଲାଗିଲାଣି ଭିଡ଼। ତେବେ ନୂଆବର୍ଷ ପାଇଁ ପୁରୀରେ ହାଇଆଲର୍ଟ ଜାରି କରାଯାଇଛି। ଆଜି ଓ ୧ତାରିଖ ପାଇଁ ଭିଡ଼କୁ ଆଖିରେ ରଖି ପୁରୀ ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍ ଆଡଭାଇଜରୀ ଜାରି ।ଶ୍ରୀମନ୍ଦିରରେ ୭୦ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଥିବା ବେଳେ ସଂପୂର୍ଣ୍ଣ ସିସିଟିଭି ବଳୟରେ ରହିଛି। ଶ୍ରୀମନ୍ଦିର ବାହାରେ,ଭିତରେ,ଭିଡ ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା, ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ୩୩ ଡିଏସପି ଏବଂ ୬୨ ଜଣ ଇନ୍ସପେକ୍ଟରଙ୍କୁ ନିୟୋଜିତ କରାଯାଇଛି।
ତେବେ ଆସନ୍ତାକାଲି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ଼ ଜମିବ। ଏଥିପାଇଁ ସମ୍ପୂର୍ଣ୍ଣ ସଜାଗ ରହିଛି ପୋଲିସ ପ୍ରଶାସନ। ମାର୍କେଟ ଛକଠାରୁ 'ନୋ ଭେକିଲ୍ ଜୋନ' ହେବ। ବଡ଼ଦାଣ୍ଡରେ ଲମ୍ବା ବ୍ୟାରିକେଡ୍ କରାଯାଇଛି ଯେପରି ଭକ୍ତମାନେ ଶୃଙ୍ଖଳିତ ଭାବେ ସିଂହଦ୍ୱାର ଦେଇ ପ୍ରବେଶ କରିପାରିବେ। ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଦେଇ ମନ୍ଦିରରେ ପ୍ରବେଶ କରିବେ ଓ ଅନ୍ୟ ତିନୋଟି ଦ୍ୱାର ଦେଇ ପ୍ରସ୍ଥାନ କରିବେ। ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ି ଓ ସୁବିଧାର ବ୍ୟବସ୍ଥା କରାଯାଇଛି।
ତେବେ ପୁରୀରେ ଭିଡ଼ ପାଇଁ ୨୦ ମାଜିଷ୍ଟ୍ରେଟଙ୍କୁ ଦାୟିତ୍ବ ଦିଆଯାଇଛି। ପ୍ରବଳ ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦ ମାଜିଷ୍ଟ୍ରେଟଙ୍କୁ ଦାୟିତ୍ବ ପ୍ରଦାନ କରିଛନ୍ତି। ଜନସାଧାରଣଙ୍କ ସୁରକ୍ଷା ଏବଂ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ୨୦ ଜଣ ଅଧିକାରୀଙ୍କୁ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଭାବେ ନିଯୁକ୍ତ କରାଯାଇଛି । ବେଆଇନ ଜନସମାଗମ, ମଦ୍ୟପାନ, ବାଣ ଫୁଟାଇବା ଏବଂ ଜୋରରେ ମ୍ୟୁଜିକ୍ ବଜାଇବା ଉପରେ ରୋକ ଲଗାଇବା ସହ ଶାନ୍ତି ଭଙ୍ଗ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାସହିତ ସମୟ ସୀମା ଅନୁସାରେ ନୂଆ ବର୍ଷକୁ ପାଳନ କରିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି।