ଭୁବନେଶ୍ୱର: ରାଜ୍ୟ ପ୍ରଶାସନିକ ସେବାର ମୁଖ୍ୟ ଶାସନ ସଚିବ ମନୋଜ ଆହୂଜାଙ୍କର ଆଜି କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ବରିଷ୍ଠ ଆଇଏଏସ୍ ଅଧିକାରୀ ମନୋଜ ଆହୂଜା ଅବସର ଗ୍ରହଣ କରିବେ । ସେଥିପାଇଁ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ମଧ୍ୟ ଦିଆଯାଇଛି । ଲୋକ ସେବା ଭବନରେ ଆୟୋଜିତ ବିଦାୟ ସମ୍ବର୍ଦ୍ଧନାରେ ଆହୂଜା ନିଜର ପ୍ରଶାସନିକ ଦକ୍ଷତା ବଖାଣିଥିଲେ ।
୨୦୨୪ରେ ଓଡ଼ିଶାରେ ପ୍ରଥମ ଥର ବିଜେପି ସରକାର ଆସିବା ପରେ ୧୯୯୦ ବ୍ୟାଚ୍ ଆଇଏଏସ୍ ମନୋଜ ଆହୁଜାଙ୍କୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ମିଳିଥିଲା । ଜୁଲାଇ ୧ରେ ମନୋଜ ଆହୁଜାଙ୍କୁ ମୁଖ୍ୟ ଶାସନ ସଚିବ ପଦରେ ନିଯୁକ୍ତି ମିଳିଥିଲା । ୨୦୧୭ରୁ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବା ମନୋଜ ଆହୁଜାଙ୍କର ମାତ୍ର ୬ ମାସ କାର୍ଯ୍ୟକାଳ ଥିବା ସତ୍ୱେ ତାଙ୍କୁ ଏହି ପଦ ମିଳିଥିଲା । ୨୦୨୪ ରେ ଡିସେମ୍ବର ୩୧ ତାରିଖରେ ତାଙ୍କର କାର୍ଯ୍ୟକାଳ ସରିବାକୁ ଥିଲା । ମାତ୍ର ପୁଣି ଆହୁଜାଙ୍କ କାର୍ଯ୍ୟକାଳକୁ ଏକ ବର୍ଷ ପାଇଁ ବୃଦ୍ଧି କରାଯାଇଥିଲା ।
୩୪ ବର୍ଷର ଚାକିରି କାର୍ଯ୍ୟକାଳ ମଧ୍ୟରେ ମନୋଜ ଆହୁଜା ଜଣେ ଦକ୍ଷ ଅଧିକାରୀ । ବିଜେପି ସରକାରରେ ତାଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି । ଆଗାମୀ ଦିନରେ ମଧ୍ୟ ପ୍ରବାସୀ ଭାରତୀୟ ସମ୍ମିଳନୀ, ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ଆଦି ରହିଛି । ତେଣୁ ତାଙ୍କର ଭୂମିକା ଏଥିରେ ବେଶ ଗୁରୁତ୍ୱ ବହନ କରୁଛି । ମନୋଜ ଆହୁଜା ପଟିଆଲା ଥାପର ଇଞ୍ଜିନିୟରିଂ କଲେଜରୁ ଇଞ୍ଜିନିୟରିଂ ପାଠ୍ୟକ୍ରମ ଶେଷ କରିବା ପରେ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଏମବିଏ କରିଥିଲେ । ଏହା ସହିତ ଆମେରିକାର ଆବାର୍ଡ ବିଶ୍ୱବିଦ୍ୟାଳୟରୁ ପବ୍ଲିକ୍ ଆଡିମିନିଷ୍ଟ୍ରେସନରେ ମାଷ୍ଟର୍ସ ମଧ୍ୟ କରିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଆଜି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ ଆୟୁକ୍ତ ଅନୁ ଗର୍ଗ ମୁଖ୍ୟ ଶାସନ ସଚିବ ପଦ ଅଳଙ୍କୃତ କରିବେ । ସେ ପ୍ରଥମ ମହିଳା ଆଇଏଏସ୍ ଭାବେ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି ।