କଟକ: ମକର ସଂକ୍ରାନ୍ତି ପୂର୍ବରୁ ଅଘଟଣ। କଟକରେ ଗୁଡ଼ି ସୂତାରେ ୨ ଜଣଙ୍କ ବେକ କଟିଯାଇଛି। ବାଇକ୍ରେ ଯିବା ସମୟରେ ବେକରେ ସୂତା ଲାଗି ଯିବାରୁ ଜଣେ ମହିଳା ଓ ପୁରୁଷ ଗୁରୁତର ଆହତ ହୋଇଛନ୍ତି। କଟକ ବୟାଳିସ ମୌଜା ଅଞ୍ଚଳରେ ଏଭଳି ଅଘଟଣ ଘଟିଛି।
ସୂଚନା ମୁତାବିକ, କଟକ ୪୨ ମୌଜା ଥାନା ଅନ୍ତର୍ଗତ ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ବାଇକରେ ପିଉସୀ ଓ ପୁତୁରା ଯାଉଥିବା ବେଳେ ମାଞ୍ଜା ଗୁଡ଼ି ସୂତା ଆସି ଗୁଡ଼ାଇ ହୋଇଯାଇଥିଲା। ଏଥିରେ ବାଇକ ଚାଳକ ତଥା ପୁତୁରା ୩୦ ବର୍ଷୀୟ ଦେବୀ କଲ୍ୟାଣ ଆଚାର୍ଯ୍ୟ ଗୁରୁତର ଭାବେ ଆହତ ହୋଇଥିବା ବେଳେ ପିଉସୀ ଆଶଲତା ଆଚାର୍ଯ୍ୟ ସାମାନ୍ୟ ଆହତ ହୋଇଥିଲେ। ପ୍ରଥମେ ଉଭୟଙ୍କୁ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପିଉସୀଙ୍କୁୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିବା ବେଳେ ପୁତୁରାଙ୍କ ରକ୍ତସ୍ରାବ ନ କମିବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଆଗାମୀ ମକର ସଂକ୍ରାନ୍ତି ପାଇଁ ପ୍ରତ୍ୟେକ ଦିନ ଶହ ଶହ ଗୁଡ଼ି ମାଞ୍ଜା ଲାଗିଥିବା ବ୍ୟବହାର କରାଯାଉଛି। ସ୍ଥାନୀୟ ପୋଲିସ ଏହା ଉପରେ ଗୁରୁତ୍ୱ ଦେଇଥିଲେ ହୁଏତ ଏଭଳି ଘଟଣା ଘଟି ନ ଥାନ୍ତା ବୋଲି ଆହତଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଖବରପାଇ ସ୍ଥାନୀୟ ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଅଧିକ ପଢନ୍ତୁ: ନୂଆ ବର୍ଷକୁ ଦୃଷ୍ଟିରେ ରଖି ପୁରୀରେ ହାଇଆଲାର୍ଟ ଜାରି