କଟକ: ଓଡିଶା ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍। ଜାନୁଆରୀ ୨୩ରେ କଟକ ଆସିବା ନେଇ ଉପରାଷ୍ଟ୍ରପତି ସହମତି ଦେଇଛନ୍ତି। ଉପରାଷ୍ଟ୍ରପତି ନେତାଜୀଙ୍କ ଜନ୍ମ ଜୟନ୍ତୀ ଉତ୍ସବରେ ସାମିଲ ହେବେ। ନେତାଜୀଙ୍କ ଜନ୍ମ ଦିବସକୁ ପରାକ୍ରମ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ନେତାଜୀ ସଂଗ୍ରହାଳୟରେ କଟକ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି। ନେତାଜୀଙ୍କ ଜନ୍ମଦିନରେ ତାଙ୍କ ଜନ୍ମସ୍ଥାନ ସଂଗ୍ରହାଳୟରେ ନୂଆ ଗ୍ୟାଲେରୀର ଉଦଘାଟନ କରାଯିବ। ଏହି ଗ୍ୟାଲେରୀରେ ଦେଶର ବହୁ ସ୍ୱାଧୀନତା ସଂଗ୍ରାମୀଙ୍କ ପୋଷ୍ଟାଲ ଷ୍ଟାମ୍ପ ପ୍ରଦର୍ଶନ କରାଯିବ।
ଉପ ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ରାଜ୍ୟ ସଂସ୍କୃତି ସଚିବ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ବୁଲି ସମୀକ୍ଷା କରିଛନ୍ତି। ନେତାଜୀ ଜୟନ୍ତୀରେ ଏଥର ପୋଷ୍ଟାଲ ଗ୍ୟାଲେରୀ ସହିତ ଜନ୍ମଜୟନ୍ତୀ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମରେ ରାଜ୍ୟପାଳ ହରିବାବୁ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଯୋଗ ଦେବେ ବୋଲି କହିଛନ୍ତି ରାଜ୍ୟ ସଂସ୍କୃତି ସଚିବ ବିଜୟ କେତନ ଉପାଧ୍ୟାୟ। ଏହି ଅବସରରେ ନେତାଜୀଙ୍କ ଜୀବନୀ ଉପରେ ସଂସ୍କୃତି ମନ୍ତ୍ରଣାଳୟ ଏବଂ ଲଳିତ କଳା ଏକାଡେମୀ ପକ୍ଷରୁ ଫଟୋ ପ୍ରଦର୍ଶନୀ ହେବାର କାର୍ଯ୍ୟକ୍ରମ ରହିଛି।
ଅଧିକ ପଢନ୍ତୁ: ପୁରୀରେ ପହଁଚିଲା ସ୍ୱର୍ଣ୍ଣ କୋଦଣ୍ଡ, ଅଯୋଧ୍ୟ ଅଭିମୁଖେ କରିବ ଯାତ୍ରା