ରାୟଗଡ଼ା: ରାୟଗଡ଼ାର ପ୍ରତିଷ୍ଠିତ ଦେବୀ ପୀଠ ମା’ ମଝିଘରିଆଣୀ ମନ୍ଦିରର ହୁଣ୍ଡି ଖୋଲାଯାଇଛି । ଦୀର୍ଘ ୬ ମାସର ବ୍ୟବଧାନ ପରେ ମା’ଙ୍କ ହୁଣ୍ଡି ସୋମବାର ଖୋଲାଯାଇଛି । ରାଜସ୍ୱ ଅଧିକାରୀଙ୍କ ଉପସ୍ଥିତିରେ ମନ୍ଦିର କର୍ତ୍ତୃପକ୍ଷ ଦାନବାକ୍ସ ଖୋଲିଛନ୍ତି । ଏଥିପାଇଁ ମନ୍ଦିରରେ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦାନହୁଣ୍ଡିର ଟଙ୍କା ଓ ସୁନା ଗଣତି ପାଇଁ ୨୫୦ ଜଣ ମହିଳା ଶ୍ରଦ୍ଧାଳୁଙ୍କୁ ନିୟୋଜିତ କରାଯାଇଛି ।
ପ୍ରକାଶ ଥାଉକି, ଗତବର୍ଷ ଜୁଲାଇ ୨୪ ତାରିଖରେ ମା’ଙ୍କ ଦାନବାକ୍ସ ଖୋଲାଯାଇଥିଲା । ହୁଣ୍ଡିରୁ ନଗଦ ୧ କୋଟି ୪ ଲକ୍ଷ ୩୬ ହଜାର ୯୬୩ ଟଙ୍କା ବାହାରିଥିଲା । ତତସହିତ ୨ କେଜି ୫୦୫ ଗ୍ରାମ ରୂପା ଓ ୩୮ ଗ୍ରାମ ସୁନା ବାହାରିଥିଲା । ଯେଉଁଥିରେ ବିଭିନ୍ନ ଦେଶର ୩୨ଟି ବିଦେଶୀ ନୋଟ୍ ସାମିଲ ଥିଲା । ସମସ୍ତ ଦାନ ଟଙ୍କା ଓ ସୁନା ରୂପାକୁ ଟ୍ରଷ୍ଟର ୟୁନିବ୍ୟାଙ୍କରେ ଥିବା ଆକାଉଣ୍ଟରେ ଜମା କରାଯାଇଥିଲା । ସେହିପରି ଏହା ପୂର୍ବରୁ ମାର୍ଚ୍ଚ ୧୮ ତାରିଖରେ ହୁଣ୍ଡିରୁ ନଗଦ ୮୯ ଲକ୍ଷ ୭୨ ହଜାର ୨୨୫ ଟଙ୍କା ସହିତ ୬୨ ଗ୍ରାମ ସୁନା ଓ ୨୩୦୦ ଗ୍ରାମ ରୁପା ବାହାରିଥିଲା। ଏଥି ସହିତ ୬୬ଟି ବିଦେଶୀ ନୋଟ ବାହାରିଥିଲା।