ଭୁବନେଶ୍ୱର : ଚିଲିକାରେ ବଢ଼ିଲା ପକ୍ଷୀ ସଂଖ୍ୟା। ଚଳିତ ବର୍ଷ ଆସିଛନ୍ତି ଅଧିକ ବିଦେଶୀ ପକ୍ଷୀ। ଗତ ବର୍ଷ ତୁଳନାରେ ଆସିଛନ୍ତି ପ୍ରାୟ ୪ ହଜାରରୁ ଅଧିକ ବିଦେଶୀ। ରବିବାର ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ତରଫରୁ କରାଯାଇଥିବା ଶୀତକାଳୀନ ପକ୍ଷୀ ଗଣନାରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ରବିବାର ଚିଲିକା ବନଖଣ୍ଡ ଅଧୀନ ୫ଟି ରେଞ୍ଜ ଚିଲିକା, ବାଲୁଗାଁ, ଟାଙ୍ଗି, ରମ୍ଭା ଓ ସାତପଡ଼ା ରେଞ୍ଜରେ ପକ୍ଷୀ ଗଣନା କରାଯାଇଥିଲା । ୫ଟି ରେଞ୍ଜରେ ୨୨ ଗ୍ରୁପରେ ବିଭକ୍ତ ହୋଇ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପ୍ରର୍ଯ୍ୟନ୍ତ ୧୩୩ ଜଣକୁ ନେଇ ପକ୍ଷୀ ଗଣନା ହୋଇଥିଲା।
ଗତ ବର୍ଷ ଅର୍ଥାତ ୨୦୨୫ରେ ମଧ୍ୟ ୧୯୬ ପ୍ରଜାତିର ୧୧ ଲକ୍ଷ ୨୭ ହଜାର ୨୨୮ ପକ୍ଷୀ ଆସିଥିଲେ । ଏଥିରୁ ପ୍ରାୟ ୧୦୯ ପ୍ରଜାତି ବିଦେଶୀ ଥିଲେ। ହେଲେ ଏଥର ୨୦୨୫ ତୁଳନାରେ ଚିଲିକାକୁ ୪,୯୭୦ ପକ୍ଷୀ ଅଧିକ ଆସିଛନ୍ତି। ଚଳିତ ବର୍ଷ ପ୍ଲେନ ମାର୍ଟିନ ଏବଂ ବେଙ୍ଗଲ ବୁଶ ଲାର୍କ ପ୍ରଜାତିଙ୍କ ସଂଖ୍ୟା ଅଧିକ ରହିଛି। ଚଳିତ ବର୍ଷ ଗଣନା ପରେ ମିଳିଥିବା ସୂଚନା ଅନୁସାରେ, ଚିଲିକାକୁ ୧୯୬ ପ୍ରଜାତିର ୧୧ ଲକ୍ଷ ୩୨ ହଜାର ୨ ଶହ ପକ୍ଷୀ ଆସିଛନ୍ତି। ଏଥିରେ ୧୦୬ ପ୍ରଜାତିର ବିଦେଶପକ୍ଷୀ ୧୧ ଲକ୍ଷ ୧୦ ହଜାର ୨୫୭ ଆସିଥିବା ବେଳେ ୯୦ ପ୍ରଜାତିର ୨୧ ହଜାର ୯୪୩ ସ୍ଥାନୀୟ ପକ୍ଷୀ ବୋଲି ଚିଲିକା ବନ୍ୟା ପ୍ରାଣୀ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।