ଭୁବନେଶ୍ୱର: ଓଡ଼ିଶା ସମେତ ସାରା ଭାରତ ବର୍ଷରେ ସାମଗ୍ରିକ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ଭାବେ ଉପଲବ୍ଧ ହେବା ଉଚିତ l ଏହା ଏକ ସ୍ଲୋଗାନ ନ ହୋଇ କାର୍ଯ୍ୟକ୍ରମ ହେବା ଉଚିତ l ଓଡ଼ିଶା ଗସ୍ତରେ ଥିବା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଭିଜନ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି l
ଭୁବନେଶ୍ୱରସ୍ଥିତ ତାଜ ଭିଭାନ୍ତାରେ ଆୟୋଜିତ ଏକ ଜାତୀୟ କର୍ମଶାଳାରେ ଅଖିଳେଶ ଯାଦବ ଯୋଗ ଦେଇଛନ୍ତି । ଅଖିଳେଶ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଯୋଜନା, ବିକାଶ ଏବଂ ଆରୋହଣ ତ୍ରୀସୂତ୍ରୀ ମନ୍ତ୍ର ପ୍ରଦାନ କରିଛନ୍ତି । ଭାରତର ବୃଦ୍ଧି ପାଉଥିବା ଜନସଂଖ୍ୟା ଓ ତାହା ସହ ସଂପୃକ୍ତ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି, ସ୍ୱାସ୍ଥ୍ୟ ଓ ସୁସ୍ଥତାର ସମ୍ପୂର୍ଣ୍ଣ ଆକାର ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । କେବଳ ‘ସ୍ୱାସ୍ଥ୍ୟ’ ନୁହେଁ, ସାମଗ୍ରିକ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଆଲୋଚନା ପାଇଁ ଗୁରୁତ୍ୱାରୋପ କରିଛନ୍ତି । ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଲେ ଚିକିତ୍ସା ସେବା ଉପରେ ଚାପ କମିପାରିବ ଓ ଜନସାଧାରଣର ଦେଶ ଗଠନରେ ଅବଦାନ ଦେବାର କ୍ଷମତା ବୃଦ୍ଧି ପାଇବ l କାରଣ ସୁସ୍ଥ ଜନସଂଖ୍ୟା ହେଉଛି ଜାତୀୟ ଉନ୍ନତିର ମୂଳ ଇଂଜିନ ବୋଲି କହିଛନ୍ତି ଅଖିଳେଶ ।
ଓଡ଼ିଶାରୁ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡ଼ି ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଜେଡ଼ି ମହିଳା ନେତ୍ରୀ ସୁମିତ୍ରା ଜେନା, ସିପିଏମ ନେତ୍ରୀ କମ୍ରେଡ ପୁଷ୍ପା, ସିପିଏମଏଲ ନେତା ଯୁଧିଷ୍ଠିର ମହାପାତ୍ର, ଫରୱାର୍ଡ଼ ବ୍ଲକ ନେତା ଜ୍ୟୋତି ମହାପାତ୍ର ଓ ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେଵ ସାହୁ ପ୍ରମୁଖ ଯୋଗ ଦେଇଥିଲେ l