ଭୁବନେଶ୍ୱର: ରାଉରକେଲାରେ ଚାର୍ଟର୍ ବିମାନ ଦୁର୍ଘଟଣାର ଆଠ ଦିନ ପରେ ଜଣେ ଯାତ୍ରୀ ପ୍ରାଣ ହରାଇଛନ୍ତି । ଗୁରୁତର ଯାତ୍ରୀ ସୁଶାନ୍ତ ବିଶ୍ୱାଳ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ସୂଚନା ମିଳିଛି ।
ବିମାନ ଦୁର୍ଘଟଣାରେ ୨ ଜଣ କ୍ର୍ୟୁ ମେମ୍ବରଙ୍କ ସମେତ ୬ ଜଣ ଆହତ ହୋଇଥିଲେ । ବିମାନରେ ଥିବା ୪ ଜଣ ଯାତ୍ରୀ ସୁଶାନ୍ତ କୁମାର ବିଶ୍ୱାଳ, ଅନୀତା ସାହୁ, ସୁନୀଲ ଅଗ୍ରୱାଲ ଓ ସବିତା ଅଗ୍ରୱାଲ ଏବଂ ୨ ଜଣ କ୍ର୍ୟୁ ସଦସ୍ୟ କ୍ୟାପ୍ଟେନ ନବୀନ କାଡ଼ଙ୍ଗା ଏବଂ କ୍ୟାପ୍ଟେନ ତରୁଣ ଶ୍ରୀବାସ୍ତବ ଗୁରୁତର ହୋଇଥିଲେ । ସୁଶାନ୍ତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ତାଙ୍କୁ ଦିଲ୍ଲୀକୁ ଏୟାର ଲିପ୍ଟ କରିବାକୁ ଯୋଜନା କରାଯାଇଥିଲା । ମାତ୍ର ଏହା ପୂର୍ବରୁ ସୁଶାନ୍ତ ପ୍ରାଣ ହରାଇଛନ୍ତି । ସେ ଘଟଣା ଦିନ ଭୁବନେଶ୍ୱରରୁ ଚିକିତ୍ସିତ ହୋଇ ଫେରୁଥିଲେ । ଏକାଧିକ ରୋଗରେ ପୀଡ଼ିତ ଥିବା ସୁଶାନ୍ତ ଚିକିତ୍ସା ସାରି ଘରକୁ ଫେରୁଥିଲେ ବୋଲି ଜଣାପଡ଼ିଛି ।
ଗତ ୧୦ ତାରିଖରେ ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ଚାର୍ଟର ବିମାନ ରାଉରକେଲାରୁ ୧୦ କିଲୋମିଟର ପୂର୍ବରୁ ଜଲଦା ନିକଟରେ ଜରୁରୀ ଅବତରଣ ବେଳେ ଦୁର୍ଘଟଣାର ଶୀକାର ହୋଇଛି । ବିମାନରେ ମୋଟ ୯ଟି ସିଟ୍ ଉପଲବ୍ଧ ଥିବାବେଳେ ୬ ଯାତ୍ରୀ ଉପସ୍ଥିତ ଥିଲେ । ପ୍ରଥମେ ପାଇଲଟ୍ ଏୟାର ଟ୍ରାଫିକ୍ କଣ୍ଟ୍ରୋଲକୁ ମେ ଡେ କଲ୍ କରିଥିଲେ । ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି ।