ଭୁବନେଶ୍ୱର: ପ୍ରଭୁ ଶ୍ରୀରାମ ଲାଲାଙ୍କ ପାଇଁ ନିର୍ମିତ ସ୍ୱର୍ଣ୍ଣ କୋଦଣ୍ଡ ପରୀ ଜିଲ୍ଲାରେ ପହଁଚିଛି । ଉତ୍ତରମଠ ନିକଟରେ ପହଁଚିବା ପରେ ପୁରୀ ବାସିନ୍ଦାଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି । ରାମଙ୍କ ଧନୁକୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ମନରେ ନାହିଁ ନ ଥିବା ଉତ୍ସାହ । ଏହି ସ୍ୱର୍ଣ୍ଣ ଧନୁ ପୁରୀରୁ ସିଧାସଳଖ ଉତ୍ତର ପ୍ରଦେଶ ଅଯୋଧ୍ୟା ରାମ ମନ୍ଦିରକୁ ଯିବ ।
ଜାନୁୟାରୀ ୨ ତାରିଖରୁ ରାଉରକେଲାରୁ ଶୋଭାଯାତ୍ରା ବାହାରି ରାଜ୍ୟ ପରିକ୍ରିମା କରିଛି । ରାଜ୍ୟର ୩୦ଟି ଜିଲ୍ଲା ପରିକ୍ରମା କରିବା ପରେ ଗତକାଲି ରାତିରେ ପୁରୀରେ ପହଁଚି । ୧୯ ତାରିଖ ସୁଦ୍ଧା ପୁରୀରେ ପହଁଚିବାକୁ ଲକ୍ଷ୍ୟ ରଖାଯାଇଥିଲା । ସେଠାରୁ ସିଧାସଳଖ ଉତ୍ତର ପ୍ରଦେଶ ଅଭିମୁଖେ ଯାତ୍ରା ଆରମ୍ଭ କରିବ । ଆସନ୍ତା ୨୪ ତାରିଖରେ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସ୍ୱର୍ଣ୍ଣ କୋଦଣ୍ଡ ସ୍ଥାପନା କରାଯିବାର କାର୍ଯ୍ୟକ୍ରମ ରହିଛି ।
ରାଉରକେଲାର ସନାତନ ଜାଗରଣ ମଞ୍ଚ ପକ୍ଷରୁ ଏହି ସ୍ୱର୍ଣ୍ଣ କୋଦଣ୍ଡ ଧନୁ ପ୍ରସ୍ତୁତ କରାଯାଇଛି । ସ୍ୱର୍ଣ୍ଣ ସହିତ ଅନ୍ୟାନ୍ୟ ଧାତୁରେ ନିର୍ମିତ ହୋଇଚି । ଯେଉଁଥିରେ ତମ୍ବା, ରୁପା, ଲୁହା ଓ ଜିଙ୍କ୍ ଧାତୁ ବ୍ୟବହାର କରାଯାଇଛି । ଏଥିରେ ୬ କିଲୋଗ୍ରାମ ସୁନା ବ୍ୟବହାର କରାଯାଇଛି । ଧନୁର ଲମ୍ବ ୮ ଫୁଟ, ଉଚ୍ଚତା ୩ ଫୁଟ ଏବଂ ଓଜନ ୨୩୫ କିଲୋଗ୍ରାମ ରହିଛି । ଏହି କୋଦଣ୍ଡ ବୀରତ୍ୱ, ସାହସ ଏବଂ ସନାତନ ଧର୍ମର ପ୍ରତୀକ । ଏଥିରେ ଦେଶ ପାଇଁ କାର୍ଗିଲ୍ ଯୁଦ୍ଧ ଏବଂ ଅପରେସନ ସିନ୍ଦୂରରେ ସହିଦ ହୋଇଥିବା ୧୭୫୦ ବୀର ଯବାନଙ୍କ ନାମ ଲେଖାଯାଇଛି । ସନାତନ ଧର୍ମ ଏବଂ କୋଦଣ୍ଡ ଧନୁର ମହତ୍ୱଙ୍କୁ ଭବିଷ୍ୟତ ପୀଢ଼ିଙ୍କ ପାଖରେ ପହଁଚାଇବାକୁ ଲକ୍ଷ୍ୟ ରଖାଯାଇଛି ।