ଭୁବନେଶ୍ୱର: ବିଜୁ ଜନତା ଦଳର ଦୁଇ ବିଧାୟକଙ୍କ ନିଲମ୍ବନ ପରେ ରାଜ୍ୟ ରାଜନୀତିରେ ବୟାନ ବାଜି ଜାରି ରହିଛି । ଏହାରି ମଧ୍ୟରେ ଶ୍ରୀମୟୀ ମିଶ୍ର ବିଜେଡ଼ିକୁ ପ୍ରଶ୍ନ ବାଣରେ ଘାଇଲା କରିଛନ୍ତି । ପ୍ରକୃତ ବିଶ୍ୱାସ ଘାତକ କିଏ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀମୟୀ ।
ସୋମବାର ସକାଳୁ ସକାଳୁ ଶ୍ରୀମୟୀ ମିଶ୍ର ସାମାଜିକ ଗଣମାଧ୍ୟମରେ ଅନେକ ଶାଣିତ ପ୍ରଶ୍ନରେ ବିଜେଡ଼ିକୁ ଘେରିଛନ୍ତି । ଶ୍ରୀମୟୀ ଲେଖିଛନ୍ତି, ନୈତିକତା ହଜିଛି, ବିଶ୍ୱାସଘାତକତାର ନୂଆ ପରିଭାଷା ଲେଖାହେଉଛି । ୨ ଜଣ ବିଧାୟକଙ୍କୁ ଦଳରୁ ନିଲମ୍ବିତ କରି "ଅନୁଶାସନ"ର ପାଠ ପଢ଼ାଯାଉଛି । କୁହାଯାଉଛି ସେମାନେ ଦୁର୍ନୀତିଗ୍ରସ୍ତ ଓ ବିଶ୍ୱାସଘାତକ । କିଏ କାହା ସହ ବିଶ୍ୱାସଘାତକତା କରିଛି ? ପ୍ରକୃତ ବିଶ୍ୱାସଘାତକ କିଏ ?
ସେହିପରି ଶ୍ରୀମୟୀ ୨୦୨୪ ନିର୍ବାଚନ ଓ ନୂଆପଡ଼ା ଫଳାଫଳକୁ ପୁଣି ଦୋହରାଇଛନ୍ତି । କାହା ଅପାରଗତା ଓ କାହା ଅହଙ୍କାର ପାଇଁ ଦଳ କ୍ଷମତାରୁ ଗଲା, ଆଉ ବିଧାୟକ ସଂଖ୍ୟା ୫୧ ରେ ସୀମିତ ରହିଲା? କାହାର ବିଶ୍ଵାସଘାତକତା ପାଇଁ ଲୋକସଭାରେ ଦଳ "ଶୂନ" ହୋଇଗଲା? ନୂଆପଡ଼ା ଉପନିର୍ବାଚନରେ ଜିଲ୍ଲା ବାହାରର ପ୍ରାର୍ଥୀ ଦେଇ ତୃତୀୟ ସ୍ଥାନରେ ରହିଲା । ତେଣୁ ଏଥିରେ କାହାର ଷଡ଼ଯନ୍ତ୍ର ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି ହୋର୍ଡିଂରୁ ବିଜୁ ବାବୁଙ୍କ ଫଟୋ ହଟାଇ ପାଣ୍ଡିଆନଙ୍କୁ ଫଟୋ ଲଗାଇବାକୁ ନେଇ କ୍ଷୋଭ ମଧ୍ୟ ପ୍ରକାଶ କରିଛନ୍ତି । ଏମିତି କେଉଁ ବାଧ୍ୟବାଧକତା ପାଇଁ ଦଳପତି ଅର୍ଥାତ୍ ନବୀନ ପଟ୍ଟାନାୟକ ସେହି ବିଶ୍ୱାସଘାତକକୁ ପ୍ରିୟପାତ୍ର କରି ରଖିଛନ୍ତି । କିଏ ସେହି ବିଭୀଷଣ-ବିଶ୍ବାସଘାତକ, ଯିଏ କୋଟିଏ କର୍ମୀ-ନେତାଙ୍କ ପଛରେ ଛୁରୀମାଡ଼ କଲା ସତ୍ତ୍ୱେ ଦଳପତି ତାକୁ "ପ୍ରିୟପାତ୍ର" କରି ରଖିଛନ୍ତି ଓ କ'ଣ ବାଧ୍ୟବାଧକତା
ଜଣେ ‘ଭଣ୍ଡ ସନ୍ୟାସୀ’ ଙ୍କ ହାତରେ ସର୍ବସ୍ୱ ଟେକି ଦେଇ, ଅନେକ କର୍ମୀଙ୍କ ରକ୍ତ ଓ ଝାଳରେ ଗଢ଼ା ହୋଇଥିବା ଏହି ଦଳକୁ ସେ ଆଜି ତିଳ ତିଳ କରି ନଷ୍ଟ କରିବାରେ ଲାଗିଛନ୍ତି। ଦୁଇ ବିଧାୟକଙ୍କ ବିରୁଦ୍ଧରେ ତଥ୍ୟ ପ୍ରମାଣ ସାର୍ବଜନୀନ କରି ଦଳପତି ନିଜର ନିରପେକ୍ଷତା ପ୍ରମାଣିତ କରିବାରେ ଅସୁବିଧା କେଉଁଠି ବୋଲି ସେ ପ୍ରଶ୍ନ ରଖିଛନ୍ତି । ସେହିପରି ଏଥିରେ ବରିଷ୍ଠ ନେତାମାନେ ଚୁପ ରହିବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ପରିଶେଷରେ ଓଡ଼ିଶାର ମାଟି ବିଶ୍ୱାସଘାତକତାର ବ୍ରାଣ୍ଡ ଆମ୍ବାସଡ଼ରଙ୍କୁ କେବେ କ୍ଷମା ଦେବନାହିଁ ବୋଲି କହିଛନ୍ତି ଶ୍ରୀମୟୀ ।