ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ସର୍ବଭାରତୀୟ ଡିଜି-ଆଇଜିପି ସମ୍ମିଳନୀ ଗତକାଲିଠାରୁ ଲୋକସେବା ଭବନରେ ଆରମ୍ଭ ହୋଇଛି । ଏହା ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ । ଏହି ସମ୍ମିଳନୀରେ ଯୋଗଦେବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିଛନ୍ତି । ଏହି ସମୟରେ ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ୍ ସିଂ ପନ୍ନୁଙ୍କ ଧମକପୂର୍ଣ୍ଣ ଇ-ମେଲ୍ ଆସିଛି ଯାହା ଚିନ୍ତାର କାରଣ ପାଲଟିଛି । ପ୍ରଥମେ ପନ୍ନୁ ନାମରେ ବରିଷ୍ଠ ସାମ୍ବାଦିକଙ୍କୁ ଧମକପୂର୍ଣ୍ଣ ଇ-ମେଲ୍ ଆଉ ଏବେ ବିମାନବନ୍ଦରରେ ଅଜଣା ବ୍ୟାଗ୍ ଠାବ । ଯାହା ସମସ୍ତଙ୍କ ମଧ୍ୟରେ ଆତଙ୍କ ଖେଳାଇଦେଇଛି । ସେହି ବ୍ୟାଗକୁ ସିଆଇଏସ୍ଏଫ୍ ଡଗ୍ ସ୍କ୍ବାଡ୍ ଦ୍ବାରା ଯାଞ୍ଚ କରାଯାଉଛି । ବ୍ୟାଗ୍ ଭିତରେ କ’ଣ ରହିଛି ଜାଣିବାକୁ ଛାନଭିନ୍ ଆରମ୍ଭ ହୋଇଛି । ଧମକକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି ।
ଡିଜିପି ସମ୍ମିଳନୀ ଆସନ୍ତାକାଲି ସରିବା ପରେ ସଭାରେ ଉପସ୍ଥିତ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ଏନଏସଏ ଅଜିତ ଡୋଭାଲ, ଅନ୍ୟ କେନ୍ଦ୍ର ମନ୍ତ୍ରୀ, ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପୁଲିସ ଡିଜି ଏବଂ ଆଇଜିମାନେ ରାଜ୍ୟରୁ ପ୍ରତ୍ୟାବର୍ତ୍ତନ କରିବେ । ଏହି ସମ୍ମିଳନୀରେ ଦେଶର ସୁରକ୍ଷା ନେଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଉଛି ।