ଚାଲିଛି କାର୍ତ୍ତିକ ମାସ । ଆଜି ହେଉଛି କାର୍ତ୍ତିକ ମାସର ତୃତୀୟ ସୋମବାର । ତେଣୁ ସମସ୍ତ ଶୈବ ପୀଠରେ ଶ୍ରଦ୍ଧାଳୁମାନଙ୍କର ଭିଡ ଜମିଛି । ସୋମବାର ଦିନ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂର୍ଣ୍ଣ୍ୟ ମିଳିବା ସହିତ ମାନସିକ ଶାନ୍ତି ମିଳିଥାଏ ।
ତେଣୁ ବଡି ଭୋରରୁ ଶ୍ରଦ୍ଧାଳୁମାନେ ମହାଦେବଙ୍କ ଦର୍ଶନ ପାଇଁ ମନ୍ଦିରରେ ଭିଡ ଲଗାଇ ସାରିଲେଣି । ଏପଟେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବା ଲାଗି ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ଶାନ୍ତି ଶୃଙ୍ଖଳାର ସହ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ତା କରାଯାଇଛି । ଶ୍ରଦ୍ଧାଳୁଙ୍କ ମନରେ ବିଶ୍ବାସ ରହିଛି ଯେ , କାର୍ତ୍ତିକ ମାସ ସୋମବାର ଦିନ ପ୍ରଭୁ ଶିବଙ୍କ ଦର୍ଶନ କଲେ ପୁଣ୍ୟଫଳ ମିଳିଥାଏ । ଭୋର ପ୍ରାୟେ ୪ ଟାରୁ ମହାଦେବଙ୍କ ପହଡ ଖୋଲାଯାଇଛି । ୧୦୮ ଗରା କଳସରେ ସ୍ନାନ କରାଯାଇ ବାବାଙ୍କ ମଙ୍ଗଳ ଆଳତୀ କରାଯାଇଛି । କାର୍ତ୍ତିକ ମାସ ସୋମବାରରେ ବାବା ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଢେର ଭିଡ଼ ଜମିବା ସହିତ ପୀଠରେ ବ୍ରତପାଳନ କରୁଛନ୍ତି ଶ୍ରଦ୍ଧାଳୁ ଏବଂ ବ୍ରତଧାରୀ । ବାବାଙ୍କ ବାଳଭୋଗ ସହ ସମସ୍ତ ନୀତିକାନ୍ତି ସମ୍ପୂର୍ଣ ହୋଇଛି । ବାବାଙ୍କ ଦର୍ଶନ ପାଇଁ ମଧ୍ୟ ଭକ୍ତମାନେ ବେଶ ଉତ୍ସାହିତ ଅଛନ୍ତି । ସେହିପରି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । କେତେ କେତେ ଦୂରରୁ ମହାଦେବଙ୍କ ଦର୍ଶନ ପାଇଁ ଭକ୍ତମାନେ ଛୁଟି ଆସିଛନ୍ତି ।
ଅନ୍ୟପଟେ ତୃତୀୟ ସୋମବାର ଲାଗି ଶ୍ରୀମନ୍ଦିର ପୁରୀରେ ଶ୍ରୀଜୀୟୁଙ୍କ ଦର୍ଶନ କରିବା ଲାଗି ଭକ୍ତମାନଙ୍କର ଗହଳି ଲାଗିପଡ଼ିଛି । ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ମାନେ ଶ୍ରୀମନ୍ଦିର ଆସି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିରରେ ଶାନ୍ତି ଶୃଙ୍ଖଳାର ସହ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
ଆଗକୁ ପଢନ୍ତୁ :- ଅନ୍ଧାରରେ ଆସି ଆଲୋକରେ ଯାଅ : ଧ୍ୱନୀରେ ପ୍ରକମ୍ପିତ ହେଉଛି ଶ୍ରୀମନ୍ଦିର ସିହଦ୍ୱାର