ଅନ୍ଧାରରେ ଆସି ଆଲୋକରେ ଯାଅ... ଗଙ୍ଗା ଯାଅ ...ଗୟା ଯାଅ...ବାଇଶି ପାହାଚେ ଗଡ଼ ଗଡାଉଥାଅ ...ଏଭଳି ଧ୍ୱନୀରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିର ସିହଦ୍ୱାର। ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଆଲୋବର୍ତ୍ତିକା ଦେଖେଇଛନ୍ତି ଶ୍ରଦ୍ଧାଳୁମାନେ । ଆଜି ଆଲୋକର ପର୍ବ ଦିପାବଳୀ । ଅନ୍ଧାର ଉପରେ ଆଲୋକର ବିଜୟ ।
ପିତୃପକ୍ଷରେ ଧରାପୃଷ୍ଠକୁ ଆସିଥିବା ପିତୃପୁରୁଷ ମାନଙ୍କୁ ଆଜିର ଏହି ପବିତ୍ର ତିଥିରେ କାଉଁରୀଆ କାଠି ଜାଳି ଆଲୁଅରେ ବିଦାୟ ଦିଆଯାଏ । ଏଥିପାଇଁ ଶ୍ରୀମନ୍ଦିର ଆଉ ଶ୍ରୀକ୍ଷେତ୍ରରେ ହଜାର ହଜାର ଭକ୍ତ ଓ ଦର୍ଶନାର୍ଥିଙ୍କ ଗହଳି ଜମିଛି ।ଏଥିସହିତ ଯେଉଁମାନେ ଆଶ୍ଵିନ ପିତୃପକ୍ଷରେ ଶ୍ରାଦ୍ଧ ଦେଇପାରିନଥାନ୍ତି । ସେମାନେ ପୟାଶ୍ରାଦ୍ଧ ସହିତ ଦୀପଦାନ କରି ପିତୃପୁରୁଷଙ୍କୁ ବିଦାୟ ଦେଇଛନ୍ତି ।ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ରୋଷଶାଳାର ବାହ୍ୟ ସମ୍ମୁଖ ଭାଗରେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଚାରୋଟି ସ୍ଥାନରେ କାଉଁରୀଆ କାଠି ଜାଳି ଶ୍ରାଦ୍ଧ ଅର୍ପଣ କରିଛନ୍ତି ଭକ୍ତମାନେ । ପରମ୍ପରା ଅନୁସାରେ , ମହାଳୟା ପରେ ପିତୃପୁରୁଷଙ୍କୁ ପୟାଶ୍ରାଦ୍ଧ ଦିଆଯାଏ । ବଡଦାଣ୍ଡରେ ପୟାଶ୍ରାଦ୍ଧ ଦେଲେ ପିତୃପୁରୁଷ ମୋକ୍ଷ ପ୍ରାପ୍ତ ହୋଇଥାନ୍ତି । ସେପଟେ ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ କଲେ ଅନେକ ପୁଣ୍ଯ ମିଳିଥାଏ ବୋଲି ବିଶ୍ବାସ ରହିଛି । ବଡଦାଣ୍ଡରେ କାଉଁରୀଆ କାଠି ଜାଳି ଶ୍ରାଦ୍ଧ ଅର୍ପଣ କରିବା ଆଉ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ମିଳିଥାଏ । ତେବେ ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ କରି ଭକ୍ତମାନେ ବେଶ୍ ଖୁସିବ୍ୟକ୍ତ କରିଥିବାର କହିଛନ୍ତି । ସେପଟେ ଆଜି ତ୍ରିଶକ୍ତି ଉପାସନାର ଦିନ । ମହାକାଳୀ, ମହାଲକ୍ଷ୍ମୀ ଓ ମହାସରସ୍ବତୀଙ୍କ ଆବିର୍ଭାବର ଦିନରେ ଆଜି ବିଭିନ୍ନ ସ୍ଥାନରେ ମହାକାଳୀଙ୍କ ମୃଣ୍ମୟୀ ମୂର୍ତ୍ତିମାନ ପୂଜା କରାଯାଇଛି ।
ଏହିଦିନରେ ଦୁଇପ୍ରକାର ଶ୍ରାଦ୍ଧ ଦେଇ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧା ଜ୍ଞାପନ କରିଥାନ୍ତି ଶ୍ରଦ୍ଧାଳୁ । ସେପଟେ ପୟାଶ୍ରାଦ୍ଧ ସମୟରେ ପୁତ୍ରାଦିଙ୍କୁ ଆଶିର୍ବାଦ ଦେବାପାଇଁ ଏକ ସ୍ତୋତ୍ର ବୋଲାଯାଏ। "ବଡବଡୁଆ ହୋ ଅନ୍ଧାରରେ ଆସି ଆଲୁଅରେ ଯାଅ,ବାଇଶି ପାହାଚେ ଗଡଗଡଉ ଥାଅ, ପୁତ୍ର ପୁତ୍ରାଦିଙ୍କୁ ଅମୃତ ଦୃଷ୍ଟିରେ ଚାହିଁ ଥାଅ। ତେବେ ପୟାଶ୍ରାଦ୍ଧ କରିବା ପାଇଁ କାହିଁ କେତେଦୁରରୁ ଭକ୍ତମାନେ ଶ୍ରୀକ୍ଷେତ୍ରକୁ ଦୌଡି ଆସିଛନ୍ତି । ସେମାନଙ୍କ ଶୃଙ୍ଖଳିତ ଦର୍ଶନ ଓ ପୟାଶ୍ରାଦ୍ଧ ପାଇଁ ସ୍ୱତନ୍ତ୍ର ବ୍ଯବସ୍ଥା କରାଯାଇଛି। ଅଘଟଣକୁ ରୋକିବା ପାଇଁ ବ୍ଯାପକ ପୋଲିସ ,ଅଗ୍ନିଶମ ବିଭାଗ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି ।୨୦ ପ୍ଲାଟୁନ ପୋଲିସ ଫୋର୍ସ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି । ଏଥିସହିତ ନିଆଁ ଜନିତ ଦୁର୍ଘଟଣା ଏଡାଇବା ପାଇଁ ୱଟର କଣ୍ଟେନର ଓ ଦମକଳ ବାହିନି ନିୟୋଜିତ ହୋଇଛନ୍ତି ।
ତେବେ ଆଜି ଚତୁର୍ଦ୍ଦଶୀ ଯୁକ୍ତ ଅମାବାସ୍ଯା ରହୁଥିବାରୁ ଅପରାହ୍ନ ପରେ ଘରେ ଘରେ ପୟାଶ୍ରାଦ୍ଧ ଓ ଦୀପଦାନ କରାଯିବ ବୋଲି ପଞ୍ଜିକାରେ ରହିଛି । ଆସନ୍ତାକାଲି ଅମାବାସ୍ୟା ଉଦୟପର୍ବରେ ପଡୁଥିବାରୁ ଶ୍ରୀମନ୍ଦିରରେ ଦିପାବଳୀ ଅମାବାସ୍ୟା ଓ ସାଗରବିଜେ ନିତି ଅନୁଷ୍ଠିତ ହେବ ।
ଆଗକୁ ପଢନ୍ତୁ :- ଦେଢ଼ମାସରେ ଦେବେ ୮୦% ଆବାସ