କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ନିର୍ମାଣରେ ଶେଷ ତାରିଖ ଧାର୍ଯ୍ୟ ହୋଇଛି । ସମସ୍ତ ପ୍ରକଳ୍ପ ଡିସେମ୍ବର ୩୧ ତାରିଖ ସୁଦ୍ଧା ନ ସରିଲେ କେନ୍ଦ୍ର ଟଙ୍କାଟିଏ ଦେବନାହିଁ । କିନ୍ତୁ ଏହି ପ୍ରକଳ୍ପକୁ ସରକାର ଅଧାରେ ବନ୍ଦ କରିପାରିବେ ନାହିଁ । ଯେତିକି ଅଧା ପ୍ରକଳ୍ପ ଥିବ ,ପୌରସଂସ୍ଥାମାନେ ନିଜ ପାଣ୍ଠିରୁ ଖର୍ଚ୍ଚ କରି ଏହାକୁ ଶେଷ କରିବେ । ସମ୍ପୃକ୍ତ ହିତାଧିକାରୀଙ୍କୁ ଆବାସ ଯୋଗାଇ ଦେବେ ବୋଲି ନିଶ୍ଚିତ କରାଇବେ । ପୌରସଂସ୍ଥା କର୍ତ୍ତୃପକ୍ଷମାନେ ଏହି ପ୍ରକଳ୍ପରେ ଏକ ସ୍ବତନ୍ତ୍ର ଫର୍ମାଟ୍ରେ ଘୋଷଣାନାମା ଲେଖି କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରିବେ । ଏମିତି ଏକ ଚିଠି ବିଏମ୍ସିରେ ପହଞ୍ଚିବା ପରେ ଚାଞ୍ଚଲ୍ୟକର ପରିସ୍ଥିତି ସୃଷ୍ଟି ହୋଇଛି । କାହିଁକି ନା ବିଏମ୍ସିର ଟାର୍ଗେଟ୍ରୁ ମାତ୍ର ୨୦ ପ୍ରତିଶତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ବାକି ଦେଢ଼ମାସ ଭିତରେ ବାକି ୮୦ ପ୍ରତିଶତ ଆବାସ ବିଏମ୍ସି କିଭଳି ଯୋଗାଇବେ ସେ ନେଇ ଚିନ୍ତାରେ ପଡ଼ିଛି ।
୨୦୨୨ ମସିହା ସୁଦ୍ଧା ପିଏମ୍ଏୱାଇ ଅଧୀନରେ ସମସ୍ତଙ୍କୁ ପକ୍କାଘର ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଥିଲା । ଏହି ଯୋଜନାରେ ବିଏମ୍ସି ଅଞ୍ଚଳରେ ଥିବା ମୋଟ୍ ୧୨୪୭ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଥିଲା । ୨୦୧୬ ମସିହାରୁ ପର୍ଯ୍ୟାୟକ୍ରମେ ଏହି କାର୍ଯ୍ୟାଦେଶ ବଣ୍ଟା ଯାଇଥିଲା । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଆର୍ଥିକ ଅନୁଦାନରେ ୩୨୨ ବର୍ଗଫୁଟ ଜମିଥିବା ସହରାଞ୍ଚଳରେ ବସବାସ କରୁଥିବା ଗରିବଙ୍କୁ ପକ୍କାଘର ନିର୍ମାଣ କରିବାକୁ ୩ ଲକ୍ଷ ୨୦ ହଜାର ଟଙ୍କା ଅନୁଦାନ ଖଞ୍ଜା ଯାଇଥିଲା । ଏହି ଅର୍ଥ ୪ଟି ପର୍ଯ୍ୟାୟରେ ଦିଆଯାଉଥିଲା । କିନ୍ତୁ ଦେଖାଗଲା ଯେ , ଧାର୍ଯ୍ୟ ହୋଇଥିବା ଡେଡ୍ଲାଇନ୍ ୨୦୨୨ ମସିହା ସୁଦ୍ଧା ମାତ୍ର ୨୦ ପ୍ରତିଶତ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା । ୫୦ ପ୍ରତିଶତରୁ ଊର୍ଦ୍ଧ୍ବ ଅର୍ଦ୍ଧ ପାନ୍ତରିଆ ହୋଇ ପଡ଼ି ରହିଥିଲା । କେତେକ ହିତାଧିକାରୀ ଗୋଟିଏ ଦୁଇଟି କିମ୍ବା ତିନୋଟି କିସ୍ତି ଉଠାଇ ଘରକାମ ଅଧା କରି ପକାଇ ରଖିଥିଲେ ।
ଯାହାଫଳରେ ଘରକାମ ସମ୍ପୂର୍ଣ୍ଣ ହୋଇନଥିଲା ।ଏହାକୁ ନେଇ ବିଏମ୍ସିର ମୁଣ୍ଡ ଖରାପ ହୋଇଯାଇଥିଲା । ଗତ ମେ’ ମାସରେ ବିଏମ୍ସି ଏହାର ସମୀକ୍ଷା କରିଥିଲା । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ହିତାଧିକାରୀମାନେ ଘରକାମ ଶେଷ କରିପାରୁ ନାହାନ୍ତି । ତାହାର କାରଣ ଖୋଜିବା ପାଇଁ ସହରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ ଯୋଜାନାର ସାମାଜିକ ସମୀକ୍ଷା କରିବାକୁ ନିଷ୍ପତ୍ତି ହୋଇଥିଲା । ଏହାର କାରଣ ଖୋଜିବା ପାଇଁ ଏକ ସଂସ୍ଥାକୁ ଦାୟିତ୍ୱ ଦିଆଗଲା । ସମ୍ପୃକ୍ତ ସଂସ୍ଥା ସହିତ ପ୍ରତି ୱାର୍ଡର କର୍ପୋରେଟର, ହିତାଧିକାରୀମାନଙ୍କୁ ନେଇ ଏକ କମିଟି ଗଠନ ହୋଇଥିଲା । ଏହି କମିଟିରେ ୨୦ରୁ ୩୦ ଜଣ ସଦସ୍ୟ ରହିଥିଲେ । ସେମାନଙ୍କୁ ନେଇ ୫ଟି ସବ୍-କମିଟି ଗଠିତ ହେବାକୁ ଯୋଜନା ଥିଲା । ଏହି ସବ୍-କମିଟି ଅସଂପୂର୍ଣ୍ଣ ଥିବା ହିତାଧିକାରୀଙ୍କ ଘର ଘର ବୁଲି ତଥ୍ୟ ସଂଗ୍ରହ କରିଥିଲା । ଓ କେଉଁ କାରଣ ପାଇଁ ସେମାନେ ଘରକାମ ସଂପୂର୍ଣ୍ଣ କରିପାରୁନାହାନ୍ତି । ତା’ର ସମସ୍ତ ତଥ୍ୟ ସଂଗ୍ରହ କରିବେ ବୋଲି କଥା ହୋଇଥିଲା । ଏହାପରେ କମିଟି ଘର ପୂରା ହୋଇ ପାରୁନଥିବା କାରଣର ତର୍ଜମା କରି କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଜନା ହୋଇଥିଲା । ତେବେ ଘଟଣାକୁ ୬ ମାସ ପୂରିଥିଲେ ମଧ୍ୟ ସାମାଜିକ ସମୀକ୍ଷା ହୋଇ ପାରିନାହିଁ ।
କିମ୍ବା ଉପରୋକ୍ତ କମିଟି କ’ଣ କାମ କଲା, ତାହାର ହିସାବ କି ସୂଚନା କାହା ପାଖରେ ନାହିଁ । ଗତ ୬ ମାସ ପୂର୍ବରୁ ଆବାସ ନିର୍ମାଣରେ ଯେଉଁ ପରିସ୍ଥିତି ଥିଲା, ସେହି ସ୍ଥିତି ଏବେ ବି ରହିଛି । ୨୦ ପ୍ରତିଶତରୁ ଅଧିକ ଆବାସ ନିର୍ମାଣ ହୋଇ ପାରିନାହିଁ । ଅନ୍ୟପଟେ ବିଏମ୍ସିର ଯୁକ୍ତି ହେଉଛି କି, ୨୦ ପ୍ରତିଶତ ନୁହେଁ । ପ୍ରକୃତରେ ପ୍ରକଳ୍ପ ର ନିର୍ମାଣ କାର୍ଯ୍ୟ ୬୦ରୁ ୭୦ ପ୍ରତିଶତ ହୋଇଛି । ୧୨୪୭ ହିତାଧିକାରୀ ଚିହ୍ନଟ ହୋଇଥିଲେ । କିନ୍ତୁ ଅଧାରୁ ଅଧିକ ଘର କରି ପାରିନଥିଲେ । ଏଭଳି ସ୍ଥିତି ଜାରି ରହିବା ପରେ ଏହାର ସମୀକ୍ଷା ହୋଇଥିଲା । ଯେଉଁମାନେ ଘର କରୁନାହାନ୍ତି, ସେମାନଙ୍କୁ ନୋଟିସ୍ ଦିଆଯାଇଥିଲା । ୨୦୧୮ ମସିହାରେ ଅଧାରୁ ଅଧିକ କାର୍ଯ୍ୟାଦେଶ ବାତିଲ୍ କରି ଦିଆଯାଇଥିଲା । ଅର୍ଥାତ୍ ୬୦୦ ଘର ନିର୍ମାଣ ହେବାର ନିଷ୍ପତ୍ତି ହୋଇଥିଲା କିନ୍ତୁ ସେଥିରୁ ୬୦ରୁ ୭୦ ପ୍ରତିଶତ ଘରକାମ ଶେଷ ହୋଇଛି । ବାକିସବୁ ଶୀଘ୍ର ସରିବା ପାଇଁ ବ୍ୟବସ୍ଥା ହେଉଛି । ଏ ଯୁକ୍ତିକୁ ଗ୍ରହଣ କରାଗଲେ ବି, ଦେଢ଼ମାସରେ ୩୦-୪୦ ପ୍ରତିଶତ କାମ ଶେଷ କରିବା ମଧ୍ୟ ସହଜ ହେବନାହିଁ ।
ଆଗକୁ ପଢନ୍ତୁ :- ବିଦ୍ୟୁତ୍ ଆଘାତରେ ଦନ୍ତା ହାତୀ ମୃତ