ଭୁବନେଶ୍ୱର: ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ । ପାଟନାରୁ ବାହାରି ଦିନ ୧୧ଟା ସୁଦ୍ଧା ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ଏହାପରେ ଲୋକ ସେବା ଭବନର କନଭେନସନ ସେଣ୍ଟରରେ ଆୟୋଜିତ ହେବାକୁ ଥିବା ‘ମାଣ୍ଡିଆ ଦିବସ’ କାର୍ଯ୍ୟକ୍ରମର ଉଦଘାଟନୀ ଅଧିବେଶନରେ ଯୋଗଦେବେ।
ଏହି ଅବସରରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓଡ଼ିଶା ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରେ ମାଣ୍ଡିଆ ଉତ୍ପାଦନ, ପ୍ରକ୍ରିୟାକରଣ ଏବଂ ବ୍ୟବହାରକୁ ଉତ୍ସାହିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ ଉପରେ ଆଲୋକପାତ କରିବେ । ଏହି କାର୍ଯ୍ୟକ୍ରମରେ କୃଷକଙ୍କ ଆୟ ବୃଦ୍ଧି ଏବଂ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ବାଜରାକୁ ଏକ ଉପକରଣ ଭାବରେ ପ୍ରୋତ୍ସାହିତ କରିବା ଉପରେ ଆଲୋଚନା କରାଯିବ ।
ଏହାପରେ କେନ୍ଦ୍ର କୃଷିମନ୍ତ୍ରୀ କଟକ ଜିଲ୍ଲାର ସଦର ଅଞ୍ଚଳ ଗସ୍ତ କରିବେ ସୂଚନା ରହିଛି । ସେଠାରେ ସେ ଚାଷୀଙ୍କ ସହିତ ସିଧାସଳଖ ଆଲୋଚନା କରିବା ସହ କ୍ଷେତ୍ର ପରିଦର୍ଶନ କରିବେ । ଏହାପରେ ଅପରାହ୍ନରେ କଟକର ବିଦ୍ୟାଧରପୁରରେ ଅବସ୍ଥିତ I CAR -କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଏକ ମିଳିତ ରଣନୈତିକ ବୈଠକରେ ଯୋଗଦେବେ । ସେଠାରେ ଭାରତୀୟ କୃଷିରେ ଉଚ୍ଚ ଉତ୍ପାଦକତା ସ୍ଥାୟୀତ୍ୱ ଏବଂ ଆତ୍ମନିର୍ଭରଶୀଳତା ହାସଲ ପାଇଁ କାର୍ଯ୍ୟକ୍ଷମ ରଣନୀତି ପ୍ରସ୍ତୁତ ପାଇଁ ଆଲୋଚନା କରିବେ ବୋଲି ସୂଚନା ରହିଛି ।