ପୁରୀ : ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ନକ୍ଷତ୍ର ଦିଅଁ ଭିତରକୁ ବିଜେ କରି ନକ୍ଷତ୍ର ବନ୍ଦାପନା କରାଯିବ। ଏହାପରେ ଜୟବିଜୟ ଦ୍ୱାରରେ ଭୋଗ ଓ ବନ୍ଦାପନା ନୀତି ସରିବା ପରେ ଦିଅଁ ଦକ୍ଷିଣୀ ଘରକୁ ବିଜେ କରିବେ। ସେଠାରେ ଅନ୍ୟାନ୍ୟ ନୀତି ସରିବା ପରେ ସନ୍ଧ୍ୟାରେ ଅଜ୍ଞାମାଳ ପାଇଁ ଶ୍ରୀରାମ, ଶ୍ରୀ ଲକ୍ଷ୍ମଣ ଓ ଦେବୀ ସୀତା ପାଲିଙ୍କିଙ୍କୁ ବିଜେ କରି ଶ୍ରୀଜଗନ୍ନାଥ ବଲ୍ଳବ ମଠକୁ ବିଜେ କରିବେ। ସେଠାରେ ଦୁଇ ସେବାୟତ ଭରତ ଓ ଶତ୍ରୁଘ୍ନ ଚରିତ୍ର ଧାରଣ କରି ପ୍ରଭୁ ଶ୍ରୀରାମଙ୍କ ରୂପାର ପାଦୁକା ଦ୍ବୟ ସାଙ୍ଗରେ ଧରି ଶ୍ରୀଜଗନ୍ନାଥ ବଲ୍ଳବ ମଠରେ ପହଞ୍ଚିବା ପରେ ଗୌଡ଼ବାଡ଼ ସାହି ଆଖେଡା ପକ୍ଷରୁ ସେଠାରେ ଶ୍ରୀରାମଙ୍କ ଅଭିଷେକ ନୀତି ଅନୁଷ୍ଠିତ ହେବ। ତ୍ରେତୟା ଯୁଗରେ ମହାପ୍ରଭୁ ଅଯୋଧ୍ୟା ଧାମରେ ଶ୍ରୀରାମଙ୍କ ରୂପରେ ଜନ୍ମ ନେଇଥିଲେ। ଯେହେତୁ ଶ୍ରୀରାମ ମହାପ୍ରଭୁଙ୍କ ଅବତାରୀ ସେହି ଦୃଷ୍ଟିରୁ ପ୍ରତିବର୍ଷ ଶ୍ରୀମନ୍ଦିରରେ ଶ୍ରୀରାମଙ୍କ ଜନ୍ମନୀତି ଠାରୁ ରାମାଭିଷେକ ନୀତି ପାଳନ କରାଯାଇଆସୁଛି।