ଭୁବନେଶ୍ୱର : ରାଜ୍ୟରେ ଘଣ୍ଟାକୁ ଘଣ୍ଟା ବଦଳୁଛି ପାଗ । ସକାଳୁ ସକାଳୁ କୋହଳ ପାଗ ରହିଥିବା ବେଳେ ଦିନ 10 ତା ବେଳୁ ହିଁ ମାଡି ଆସୁଛି ତାତି। ତତଲା ତାୱାରେ ସିଝୁଛି ଓଡ଼ିଶା। ପଶ୍ଚିମ ଓଡ଼ିଶା ସମେତ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସହରରେ ଆକାଶରୁ ନିଆଁ ବର୍ଷା ହେଉଛି। ପୁଣି ହଟସ୍ପଟ୍ ପାଲଟିଲା ଝାରସୁଗୁଡ଼ା। ଗତ ୨୪ ଘଣ୍ଟାରେ ସର୍ବାଧିକ ୪୫.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ତେବେ କିଛି ଦିନ ପୂର୍ବରୁ କାଳବୈଶାଖୀ ପ୍ରଭାବରେ ତାପମାତ୍ରା ହ୍ରାସ ପାଇଥିଲା ହେଲେ ରାଜ୍ୟକୁ ପୁଣି ଫେରିଛି ତାତି। ବିଶେଷ କରି ପଶ୍ଚିମ ଓଡ଼ିଶାରେ ପାରଦ ଉପର ମୁହାଁ ରହିଛ । ଉପକୂଳ ଓଡ଼ିଶାରେ ୬୦ ପ୍ରତିଶତରୁ ଅଧିକ ଆର୍ଦ୍ରତା ରେକର୍ଡ କରାଯାଇଛି। ତେବେ ଆଜି ବି ପ୍ରବଳରୁ ଅତି ପ୍ରବଳ ତାତି ହେବ ନେଇ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଏଥିପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଏବଂ ଗରମ ଓ ଆଦ୍ରତା ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାସହିତ ଆଗାମୀ ୩ ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ୨୩ ଓ ୨୪ ତାରିଖରେ ଝାରସୁଗୁଡ଼ା ତାପମାତ୍ରା ୪୭ ଡିଗ୍ରି ମୁହାଁ ହେବ।