ଭୁବନେଶ୍ୱର: ଦିନରେ ଖରା, ସନ୍ଧ୍ୟା ହେଲେ ମାତ୍ର ଝଡ଼ବର୍ଷା। ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ ରଚୁଛି। ଓଡିଶା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବଜ୍ରପାତ ସହ କୁଆପଥର ବର୍ଷା ହେବ। ଏହିଭଳି ଆହୁରି ୭ ଦିନ ରାଜ୍ୟରେ ବର୍ଷା ଏବଂ ବିଜୁଳି ଘଡ଼ଘଡ଼ି ଲାଗିରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ତେବେ ରାଜ୍ୟ ଏବଂ ପଡ଼ୋଶୀ ଅଞ୍ଚଳଗୁଡ଼ିକରେ ସମୁଦ୍ର ପତ୍ତନଠାରୁ ୦.୯ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ଏକ ଗଭୀର ଟ୍ରଫ୍ ରେଖା ବିସ୍ତାର କରିଥିବାରୁ ଓଡ଼ିଶାରେ ପାଗ ଅତ୍ୟନ୍ତ ଅସ୍ୱାଭାବିକ ରହିଛି। ପଶ୍ଚିମ ଜିଲ୍ଲାଗୁଡ଼ିକରେ ଦିନରେ ପ୍ରବଳ ଗରମ ଏବଂ ଅପରାହ୍ନ ସୁଦ୍ଧା ଦକ୍ଷିଣ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ବିଜୁଳି ଏବଂ ପଥରବୃଷ୍ଟି ସହିତ ପ୍ରବଳ ଉତ୍ତର-ପଶ୍ଚିମ ଝଡ଼ ବର୍ଷା ହେଉଛି।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ଯେ ୨୮ ଏବଂ ୨୯ ମାର୍ଚ୍ଚରେ ଦିନର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇବ, ମୁଖ୍ୟତଃ ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ଅନ୍ୟାନ୍ୟ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅଧିକ ତାପମାତ୍ରା ରହିବ। ଆଜି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ବାଲେଶ୍ୱର ଜିଲ୍ଲାକୁ ବଜ୍ରପାତ ସହ କୁଆପଥର ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏସବୁ ଜିଲ୍ଲାରେ ୫୦ରୁ ୬୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ସେହିପରି ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ପାଣିପାଗ ବିଭାଗ କହିଛି ଯେ ଟ୍ରଫ୍ ଲାଇନ ଏବଂ ସମ୍ପୃକ୍ତ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ସାତ ଦିନ ପର୍ଯ୍ୟନ୍ତ ରାଜ୍ୟ ସାରା ବ୍ୟାପକ ଝଡ଼ବର୍ଷା, ବିଜୁଳି ଏବଂ କୁଆପଥର ବୃଷ୍ଟି ଜାରି ରହିବ। ସପ୍ତାହ ସାରା ଉପକୂଳବର୍ତ୍ତୀ ଅଞ୍ଚଳ ମେଘୁଆ ରହିବାର ସମ୍ଭାବନା ଅଛି। ଏନେଇ ବିଭିନ୍ନ ଜିଲ୍ଲାକୁ ଓରେଞ୍ଜ୍ ଏବଂ ୟେଲୋ ୱାଣ୍ଣିଂ ଜାରି କରାଯାଇଛି।
କେଉଁଠି କେମିତି ଆଲର୍ଟ?
- ଅରେଞ୍ଜ ୱାର୍ଣ୍ଣିଂ (ଆଜି):
- ମୟୂରଭଞ୍ଜ – ପ୍ରବଳ ବର୍ଷା, କୁଆପଥର, ବଜ୍ରପାତ, ୫୦-୬୦ କିମି ବେଗରେ ପବନ
- ୟେଲୋ ୱାର୍ଣ୍ଣିଂ (ଆଜି):
- ବାଲେଶ୍ୱର, ଭଦ୍ରକ, ଯାଜପୁର – ବଜ୍ରପାତ ସହ ବର୍ଷା, ୩୦-୪୦ କିମି ପବନ
- ୟେଲୋ ୱାର୍ଣ୍ଣିଂ (ରବିବାର–ଗୁରୁବାର):
- ଦକ୍ଷିଣ ଓ ଉତ୍ତର-ପଶ୍ଚିମ ଜିଲ୍ଲା – କୋରାପୁଟ, ମାଲକାନଗିରି, କଳାହାଣ୍ଡି, ନୂଆପଡ଼ା, ସୁନ୍ଦରଗଡ଼, କେଉଁଝର, ମୟୂରଭଞ୍ଜ, ବଲାଙ୍ଗୀର
ପାଣିପାଗ ବିଭାଗ କହିଛି, ଆଗାମୀ ସପ୍ତାହ ସାରା ରାଜ୍ୟରେ ଝଡ଼ବର୍ଷା, ବିଜୁଳି ଓ କୁଆପଥର ବର୍ଷା ଲାଗିରହିବ। ଉପକୂଳ ଅଞ୍ଚଳରେ ମେଘୁଆ ପାଗ ଜାରି ରହିବ। ଆଗାମୀ ୪ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବଡ଼ ପରିବର୍ତ୍ତନ ହେବ ନାହିଁ କିନ୍ତୁ ଏପ୍ରିଲ ୧ ଠାରୁ ପାଗ ସାଧାରଣ ହୋଇ ୩୭-୩୮° ସେଲସିୟସକୁ ଫେରିବ ବୋଲି ଆଶା କରାଯାଉଛି।