ବାରିପଦା : ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା। ଏହି ଅବସରରେ ପୁରୀ ସମେତ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ସ୍ଥିତ ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେ ମନ୍ଦିରରେ ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଛି ଦେବସ୍ନାନ ନୀତି। ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡଭାଇ ବଳଭଦ୍ର ଏବଂ ଦେବୀ ସୁଭଦ୍ରା ସ୍ନାନ ମଣ୍ଡପରେ ବିଜେ କରି ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି। ଏହି ଅବସରରେ ବ୍ରାହ୍ମ ମୁହୂର୍ତ୍ତରେରେ ଶ୍ରୀ ଜୀଉ ମାନଙ୍କୁ ଗୋଟି ପହଣ୍ଡିରେ ସ୍ନାନ ମଣ୍ଡପରେ ବିଜେ କରାଯାଇଥିଲା। ଏହାପରେ ପ୍ରାୟ ସାଢେ ୫ଟା ସମୟରେ ଗଙ୍ଗାଙ୍କ ଆବାହନ କରାଯାଇ ପାମୃତ ସ୍ନାନ, ପଇଡ ପାଣି ସ୍ନାନ ଏବଂ ତାପରେ ୧୦୮ କୁମ୍ଭ ଜଳରେ ଶ୍ରୀ ଜୀଉ ମାନଙ୍କର ଦେବସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା।
ଆଜି ପୁର୍ବାହ୍ନରେ ତିନି ଠାକୁରଙ୍କର ଚନ୍ଦନ ବେଶ ଏବଂ ଫୁଲ ବେଶ ହୋଇ ସାହାଣମେଲାରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଜୀଉମାନେ ସନ୍ଧ୍ୟାରେ ଗଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ପରମ୍ପରା ଅନୁସାରେ ଆଜି ମଧ୍ୟରାତ୍ର ସମୟରେ ତିନି ଠାକୁର ଗୋଟି ପହଣ୍ଡିରେ ୧୫ ଦିନ ପାଇଁ ଅଣସର ପିଣ୍ଡିକୁ ବିଜେ କରିବେ ବୋଲି ସୂଚନା ଦେଇଛନ୍ତି ଜଗନ୍ନାଥ ସଂସ୍କୃତି ପ୍ରଚାରକ ପଣ୍ତିତ ଭାଗବତ ପଣ୍ଡା। ତେବେ ସ୍ନାନ ମଣ୍ଡପରେ ତିନି ଦିଅଁଙ୍କୁ ଦର୍ଶନ କରିବା ପାଇଁ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଜଗନ୍ନାଥ ମନ୍ଦିରରେ ଶତାଧିକ ଭକ୍ତଙ୍କର ଭିଡ ଦେଖିବାକୁ ମିଳିଥିଲା। ଶ୍ରୀକ୍ଷେତ୍ର ପୁରୀକୁ ଯାଇ ପାଇ ନଥିବାରୁ ୨ୟ ଶ୍ରୀକ୍ଷେତ୍ରରେ ଶ୍ରୀ ଜୀଉ ମାନଙ୍କୁ ସ୍ନାନ ମଣ୍ଡପରେ ଦର୍ଶନ କରି ନିଜକୁ ଧନ୍ୟ ମନେ କରନ୍ତି ବୋଲି କହିଛନ୍ତି ଭକ୍ତମାନେ।