ଅହମ୍ମଦାବାଦ: ଗୁଜରାଟର ଅହମ୍ମଦାବାଦରେ ହୋଇଥିବା ଭୟଙ୍କର ବିମାନ ଦୁର୍ଘଟଣାରେ ସମସ୍ତ ଯାତ୍ରୀ ପ୍ରାଣ ହରାଇଥିବା ଜଣାପଡ଼ିଛି । ବିମାନରେ କ୍ର୍ୟୁ ମେମ୍ବରଙ୍କ ସମେତ ସମସ୍ତ ୨୦୪ ଯାତ୍ରୀଙ୍କର ଦୁଃଖଦ ମୃତ୍ୟ ହୋଇଛି । ଏହା ସହିତ ୪୧ ଯାତ୍ରୀ ଗୁରୁତର ଅଛନ୍ତି । ସମସ୍ତଙ୍କର ଅହମ୍ମଦାବାଦ ମେଡ଼ିକାଲରେ ଚିକିତ୍ସା ଜାରି ରହିଛି । ଏ ନେଇ ଅହମ୍ମଦାବାଦ ପୋଲିସ କମିଶନର ଜି ଏସ. ମଲ୍ଲିକ ସ୍ପଷ୍ଟ କରିଛନ୍ତି । କିନ୍ତୁ କାହାକୁ ବି ବଞ୍ଚାଇବା ସମ୍ଭବ ନୁହେଁ ବୋଲି ପୋଲିସ କମିଶନର କହିଛନ୍ତି ।
ସର୍ଦ୍ଦାର ବଲ୍ଲଭ ଭାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଏୟାର ଇଣ୍ଡିଆର (AI୧୭୧) ବିମାନ ଅହମ୍ମଦାବାଦରୁ ଦିବା ୧ଟା ୩୮ ମିନିଟ୍ ରେ ଲଣ୍ଡନ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା । ୨୩ ନମ୍ବର ରନ୍ ୱେରୁ ଟେକ୍ ଅଫ୍ କରିବାର କିଛି ସେକେଣ୍ଡରେ ପାଇଲଟ୍ ଆସନ୍ନ ସଙ୍କଟର ଆଶଙ୍କା କରି ମେଡେ (MAYDAY) ସିଗନାଲ୍ ଦେଇଥିଲେ । ମେଡେ କଲର ଅର୍ଥ ହେଉଛି ପାଇଲଟ୍ କିଛି ସଙ୍କଟରେ ଅଛନ୍ତି । କିନ୍ତୁ ଏହା ପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ମାତ୍ର କିଛି ସମୟ ପରେ, ଅର୍ଥାତ୍ ୧ ଟା ୪୦ ମିନିଟ ବେଳକୁ ବିମାନ ବନ୍ଦରରୁ ମାତ୍ର ୧୫ କିଲୋମିଟରରେ ଦୂରରେ ଥିବା ମେଘାଣୀନଗର ନିକଟରେ ବିମାନଟି ନିମ୍ନଗାମୀ ହୋଇ ଏକ ବିଲ୍ଡିଂରେ ବାଡ଼େଇ ହୋଇଥିଲା । ପ୍ରଥମେ ବିମାନ ଏକ ମେଡ଼ିକାଲ ହଷ୍ଟେଲ ବିଲ୍ଡିଂକୁ ଧକ୍କା ଦେଇଥିଲା ଏବଂ ଏହା ପରେ ଅତ୍ୟୁଲ୍ୟମ୍ ହଷ୍ଟେଲର କାନ୍ଥ ଭାଙ୍ଗି ପଶିଥିଲା । ପରେ ବିମାନରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳି ଉଠିଥିଲା । ଫଳରେ ସମ୍ପୂର୍ଣ୍ଣ ଅଞ୍ଚଳ କଳା ଧୂଆଁରେ ଆଚ୍ଛାଦିତ ହୋଇଯାଇଥିଲା ।
ଯୁଦ୍ଧକାଳୀନ ସ୍ଥିତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଅଗ୍ନିଶମ, ଏନଡିଆରଏଫ୍ ଏବଂ ବାୟୁସେନା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ଆମ୍ବୁଲାନ୍ସରେ ଯାତ୍ରୀଙ୍କୁ ଅହମ୍ମଦାବାଦ ସରକାରୀ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ୨୦୪ ଯାତ୍ରୀଙ୍କର ଦୁଃଖଦ ମୃତ୍ୟୁ ହୋଇଥିବା ପୋଲିସ କମିଶନର କହିଛନ୍ତି ।
ଏୟାର ଇଣ୍ଡିଆ ବିମାନରେ ୨୪୨ ଜଣ ଯାତ୍ରୀ ଥିଲେ ବୋଲି କୁହାଯାଉଛି । ମୋଟ ୨୪୨ ଯାତ୍ରୀଙ୍କ ମଧ୍ୟରୁ ୧୬୯ ଭାରତୀୟ, ୫୩ ବ୍ରିଟିଶ, ୧ କାନ୍ନାଡ଼ା ଏବଂ ୭ ପର୍ତ୍ତୁଗାଲ ନାଗରିକ ଥିଲେ । ସେମାନଙ୍କ ମଧ୍ୟରୁ ୧୧ ଜଣ ଛୋଟ ପିଲା ଏବଂ ୨ ଜଣ ନବଜାତ ଶିଶୁ ମଧ୍ୟ ଯାତ୍ରା କରୁଥିଲେ । ଏହା ସହିତ ୨ ଜଣ ପାଇଲଟ୍ ଏବଂ ୧୦ ଜଣ କ୍ର୍ୟୁ ମେମ୍ବର ମଧ୍ୟ ଥିଲେ । କ୍ୟାପଟେନ୍ ସୁମିତ ସାଭରବାଲ ବିମାନକୁ ଚଲାଉଥିବାବେଳେ ତାଙ୍କ ସହିତ ଥିଲେ ଫାଷ୍ଟ ଅଫିସର୍ କ୍ଲାଇବ୍ କୁନ୍ଦର । କ୍ୟାପଟେନ୍ ସୁମିତଙ୍କର ୮,୨୦୦ ଘଣ୍ଟା ବିମାନ ଉଡ଼ାଇବାର ଅଭିଜ୍ଞତା ରହିଛି । ସେହିପରି କ୍ଲାଇବଙ୍କର ୧୧୦୦ ଘଣ୍ଟା ବିମାନ ଉଡ଼ାଇବାର ଅଭିଜ୍ଞତା ରହିଛି ।
ତେବେ ମୃତକଙ୍କ ଶରୀର ସମ୍ପୂର୍ଣ୍ଣ ଜଳି ଯାଇଥିବାରୁ କାହାକୁ ଚିହ୍ନଟ କରିବା ସମ୍ଭବ ନୁହେଁ । ତେବେ ସମସ୍ତ ମୃତକଙ୍କ ଡିଏନ୍ଏ ପରୀକ୍ଷା କରାଯାଇ ମୃତ ଦେହକୁ ହସ୍ତାନ୍ତର କରାଯିବ ବୋଲି ଗୁଜରାଟ ସରକାର କହିଛି ।
ଦୁର୍ଘଟଣାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୋକ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ତୁରନ୍ତ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିଛନ୍ତି ।