ସୁନ୍ଦରଗଡ଼ରେ ଚିନ୍ତା ବଢ଼ାଉଛି ସ୍କ୍ରବ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଗୋଟିଏ ଦିନରେ ୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ମୋଟାମୋଟି ଭାବରେ ଦେଖିବାକୁ ଗଲେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୦କୁ ଛୁଇଁଛି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।
ଗତକାଲି ସ୍କ୍ରବ ଟାଇଫସ୍ ରେ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଉ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ପ୍ରକାରର ଔଷଧ ସହ ନମୁନା ପରୀକ୍ଷା ପାଇଁ ମଧ୍ୟ ସମସ୍ତ ସୁବିଧା ଥିବା ସହ ସ୍ୱତନ୍ତ୍ର ଡାକ୍ତରୀ ଦଳ ପ୍ରସ୍ତୁତ ହୋଇରହିଛନ୍ତି । ସୂଚନା ଅନୁସାରେ , ଏବେ ସାରା ରାଜ୍ୟରେ ଆତଙ୍କ ଖେଳାଉଛି ସ୍କ୍ରବ ଟାଇଫସ । ଆଉ ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ ସ୍କ୍ରବ ଟାଇଫସ ଚିହ୍ନଟ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ୧୮୦ ଜଣକୁ ସ୍କ୍ରବ ଟାଇଫସ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଔଷଧ ଓ ନମୁନା ପରୀକ୍ଷା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ଭାରପ୍ରାପ୍ତ ସିଡିଏମ୍ଓ ସୂଚନା ଦେଇଛନ୍ତି । ପୂର୍ଵସୂଚନା ଅନୁସାରେ , ରାଜ୍ୟରେ ମ୍ୟାଲେରିଆ , ଡେଙ୍ଗୁ ପରେ ଏବେ ଓଡିଶାକୁ ଡରେଇବାକୁ ଆରମ୍ଭ କଲାଣି ସ୍କ୍ରବ୍ ଟାଇଫସ୍ । ରାଜ୍ୟରେ ବିଭିନ୍ନ ଜିଲ୍ଲାରୁ ଏଥିରେ ଆକ୍ରାନ୍ତ ହୋଇଥିବା ରୋଗୀ ଚିହ୍ନଟ ହେଉଛନ୍ତି । ଏମିତିକି ଏହି କୀଟ ଆକ୍ରମଣରେ ଲୋକଙ୍କ ମୃତ୍ୟୁ ହୋଇଛି । ହେଲେ ଏତେ ସବୁ ପରେ ବି ସ୍ୱାସ୍ଥ୍ୟବିଭାଗ ତରଫରୁ କୌଣସି ଦୃଢ ପଦକ୍ଷେପ ନିଆଯାଇନାହିଁ । ଓଲଟା ଆକ୍ରାନ୍ତଙ୍କୁ ଲୁଚେଇବା ପାଇଁ ଏକ ଉଦ୍ୟମ କରାଯାଉଛି । ଏହି ରୋଗ ସାଧାରଣତଃ ଜୁଲାଇରୁ ନଭେମ୍ବର ମାସ ମଧ୍ୟରେ ଦେଖିବାକୁ ମିଳିଥାଏ । ' ଚିଗର୍ସ ' ନାମକ ଏକ କୀଟ କାମୁଡିବା ଦ୍ୟୁରା ଏହି ରୋଗ ହୋଇଥାଏ । ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ , ସର୍ବସାଧାରଣ ପୋଖରୀ , ବିଲ ଓ ଜଙ୍ଗଲକୁ ଯାଉଥିବା ଲୋକେ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ବିଗତ କିଛି ବର୍ଷ ହେବ ଏହି ରୋଗରେ ବୟସ୍କଙ୍କ ତୁଳନାରେ ଛୋଟ ପିଲା ଅଧିକ ଆକ୍ରାନ୍ତ ହେଉଛନ୍ତି ।
କେବଳ ଗ୍ରାମଞ୍ଚଳ ନୁହଁ ଏବେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏହି ସଂକ୍ରମଣ ଦେଖିବାକୁ ମିଳିଛି । ଏହି ରୋଗର ଲକ୍ଷଣ ହେଲା ଶରୀରରେ ତ୍ରିବ ଜ୍ୱର ସାଙ୍ଗକୁ ତଳିପେଟରେ ଯନ୍ତ୍ରଣା ଓ ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଦେଖାଦେଇଥାଏ । ଯେଉଁ ସ୍ଥାନକୁ ଏହି କୀଟ କାମୁଡ଼ିଥାଏ , ସେହି ସ୍ଥାନର ଚର୍ମ ମୃତ ହୋଇଥାଏ । ଯାହାକୁ 'ଏସ୍ଚର୍' ଭାବେ ବିବେଚନା କରାଯାଉଛି ।
ଆଗକୁ ପଢ଼ନ୍ତୁ :- ପ୍ରଖ୍ୟାତ ଲେଖିକା ତଥା ଡକ୍ୟୁମେଣ୍ଟାରୀ ଫିଲ୍ମ ପ୍ରଯୋଜିକା ଗୀତା ମେହେଟ୍ଟାଙ୍କ ପରଲୋକ