ଖବର ଓଡିଶା : କୂଅରେ ବୁଡ଼ି ଚାଲିଗଲା ଦୁଇ ନାବାଳିକାଙ୍କ ଜୀବନ । ଏଭଳି ଏକ ଅଘଟଣ ବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ଛେଳିପଦର ଗାଁରେ ଘଟିଯାଇଛି । ମୃତ ଦୁଇ ନାବାଳିକା ହେଉଛନ୍ତି ଚନ୍ଦ୍ର ଭତ୍ରାଙ୍କ ଝିଅ ତନୁ ଭତ୍ରା (୧୨) ଓ ନନ୍ଦ ଭତ୍ରାଙ୍କ ଝିଅ ମଞ୍ଜୁଲା ଭତ୍ରା (୧୨)।
ସୂଚନା ଅନୁଯାୟୀ ଦୁହେଁ ସ୍କୁଲରେ ଗୁରୁ ଦିବସ ପାଳନ କରି ଫେରିବା ପରେ ଘର ନିକଟସ୍ଥ କୂଅକୁ ଗାଧୋଇବା ପାଇଁ ଯାଇଥିଲେ। କିନ୍ତୁ ବହୁ ସମୟ ପର୍ଯ୍ୟନ୍ତ ସେମାନେ ଘରକୁ ନଆସିବାରୁ ଦୁଇ ପରିବାର ଲୋକେ ଖୋଜାଖୋଜି କରିଥିଲେ ।ବହୁ ଖୋଜାଖୋଜି ପରେ ସନ୍ଦେହ ହେବାରୁ କୋଷାଗୁମୁଡା ଅଗ୍ନିଶମ ବିଭାଗ ଏବଂ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଏବଂ ପୋଲିସ ପହଞ୍ଚି ଉକ୍ତ କୂଅରୁ ଉଭୟ ତନୁ ଓ ମଞ୍ଜୁଲାଙ୍କ ମୃତଦେହ ବାହାର କରିଥିଲେ। ପୋଲିସ ଦୁଇ ନାବାଳିକାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କୋଷାଗୁମୁଡ଼ା ଡାକ୍ତରଖାନାକୁ ପଠାଇଥିଲା। ଏଭଳି ଏକ ଦୁଃଖଦ ଘଟଣାକୁ ନେଇ ପୂରା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।