ଶିମିଳିପାଳ ଅଭୟାରଣ୍ୟରୁ କଲରା ପତରିଆ ଶିକାର ଘଟଣାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ବନ ବିଭାଗ ସଫଳ ହୋଇଛି । କଲରା ପତରିଆ ବାଘର ଛାଲକୁ ଲକ୍ଷ ଲକ୍ଷ ଟଙ୍କାରେ ବ୍ୟବସାୟ କରିବା ପାଇଁ ଡିଲ ଚାଲିଥିବା ବେଳେ ସ୍ୱତନ୍ତ୍ର ଟିମ ସହାୟତାରେ ଶିକାରୀକୁ ଗିରଫ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ଜଣକ ହେଲେ ବହଲଦା ଅଞ୍ଚଳର ନେତ୍ରା ସିଂ। ଗତବର୍ଷ ଜୁଲାଇ ୨୩ ରେ ଶିମିଳିପାଳ ଅଭୟାରଣ୍ୟରୁ ୪ଟି କଲରାପତରିଆ ବାଘକୁ ମାରି ଶିକାର କରିବା ପରେ ଏହି ଛାଲକୁ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରିବା ପାଇଁ ଡିଲ ଚାଲିଥିବା ବେଳେ ୫ଜଣ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ମୁଖ୍ୟଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡ ନେତ୍ରା ସିଂ ଘଟଣା ସ୍ଥଳରୁ ଖସିଯାଇଥିଲା।
ବିଶେଷ ସୂତ୍ରରୁ ଖବର ପାଇ ଦୀର୍ଘ ଏକ ବର୍ଷ ପରେ ନେତ୍ରା ସିଂ କୁ ଗିରଫ କରିବାରେ ବନ ବିଭାଗ କର୍ମଚାରୀଙ୍କ ସ୍ୱତନ୍ତ୍ର ଟିମ ସଫଳ ହୋଇଛି। ନେତ୍ରାକୁ ପଚରା ଉଚରା କରିବା ବେଳେ ସେ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ନେଇ ସ୍ୱୀକାର କରିଥିବାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ପୂର୍ବରୁ ନେତ୍ରା ଶିକାର କରି ଫେରାର ଥିବା ବେଳେ ବାରମ୍ବାର ସ୍ଥାନ ପରିବର୍ତନ କରୁଥିବା ବେଳେ ସୋମବାର ଗିରଫ କରାଯାଇଛି । ଏହି ଘଟଣାରେ ଅନ୍ୟ ଜଣେ ଫେରାର ପଳାତକ ବୁଦୁରାମ ସିଂ କୁ ଧରିବା ପାଇଁ ବନ ବିଭାଗ ଚେଷ୍ଟା ଜାରି ରହିଛି।