ଗତ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ବିଂଶତମ ଐତିହାସିକ ଧଉଳି-କଳିଙ୍ଗ ମହୋତ୍ସବ ରବିବାର ଦିନ ଉଦଯାପିତ ହୋଇଯାଇଛି। ଐତିହାସିକ ଧଉଳି ପାହାଡ଼ର ପାଦଦେଶରେ ଆରମ୍ଭ ହୋଇଥିବା ଏହି ମହୋତ୍ସବ ୯ ରୁ ଆରମ୍ଭ ହୋଇ ୧୧ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ବେଳେ ଓଡ଼ିଆ ଭାଷା ଏବଂ ସାହିତ୍ୟର ଝଲକ ଏହି ମହୋତ୍ସବରେ ଦେଖିବାକୁ ମିଳିଥିଲା। ଭାରତୀୟ ସଂସ୍କୃତିର ମହାନ ଗୌରବାନ୍ୱିତ ଐତିହ୍ୟ ଓ ପରମ୍ପରା ବିଷୟରେ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ସଚେତନ କରାଇବା ଏହି ମହୋତ୍ସବର ଲକ୍ଷ୍ୟ ଏହା ଆୟୋଜିତ ହୋଇଥିଲା।
ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅବସରରେ ସମାନ୍ତରାଳ ଧାରାରେ ଏକାମ୍ର ଉତ୍ସବ ପାଳିତ ହୋଇଥିବା ବେଳେ ଠିକ ସେହିପରି ଭାବରେ ଧଉଳି-କଳିଙ୍ଗ ମହୋତ୍ସବ ମଧ୍ୟ ପାଳନ କରାଯାଇଛି। ପ୍ରତି ବର୍ଷ ଫେବୃୟାରୀ ମାସରେ ଏହି ମହୋତ୍ସବ ବିଶ୍ୱ ପ୍ରସିଦ୍ଧ ଧଉଳିରେ ଅନୁଷ୍ଠିତ ହୋଇଥାଏ । ତେବେ ଉଦଯାପନୀ ସନ୍ଧ୍ୟାରେ ଡ୍ୟାନ୍ସ କ୍ରିଏସନ୍ ଦ୍ୱାରା ପ୍ରଥମେ ଭାରତନାଟ୍ୟମ ନୃତ୍ୟ ପରିବେଷଣ କରାଯାଇଥିଲା। ଉଦଯାପନୀ ସଂଧ୍ୟାର ଅନ୍ତିମ ଉପସ୍ଥାପନା ଥିଲା ସମସାମୟିକ ସମରକଳା ନୃତ୍ୟ । କର୍ଣ୍ଣକୋପିୟା କ୍ରିଏସନ୍ର ଶିଳ୍ପୀମାନେ ସମସାମୟିକ ସମରକଳା ନୃତ୍ୟ ପରିବେଷଣ କରିଥିବା ବେଳେ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଦ୍ୱାରା ପ୍ରଦତ୍ତ ବୁଦ୍ଧ ସମ୍ମାନ ଓଡ଼ିଶୀ ନୃତ୍ୟାଙ୍ଗନା ମାଧବୀ ମୁଦଗଲ୍ଙ୍କୁ ପ୍ରଦାନ କରାଯାଇଥିଲା । ସେହିପରି ଗୁରୁ ଗଙ୍ଗାଧର ସ୍ମୃତି ସମ୍ମାନ ୨୦୨୪ ବିଶିଷ୍ଟ ପ୍ରହଲ୍ଲାଦ ନାଟକ ଗୁରୁ ସିମାଞ୍ଜଳ ପାତ୍ର, ପ୍ରଖ୍ୟାତ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ପଣ୍ଡିତ ଦେବେନ୍ଦ୍ର ନାରାୟଣ ଶତପଥୀ, ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁ ରତିକାନ୍ତ ମହାପାତ୍ର ଏବଂ ଖ୍ୟାତନାମା ସାଧାରଣ ଚିକିତ୍ସକଙ୍କୁ ସେମାନଙ୍କର ଜୀବନବ୍ୟାପୀ ନୃତ୍ୟ, ସଙ୍ଗୀତ ସାଧନା ଓ ଜନସେବା ପାଇଁ ପ୍ରଦାନ କରାଯାଇଥିଲା। ତେବେ ଉଦ୍ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ପୂର୍ବତନ କୁଳପତି ଡକ୍ଟର ପ୍ରିୟମ୍ବଦା ମହାନ୍ତି, ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସଭାପତି ଡକ୍ଟର ଲଳିତ୍ ମାନସିଂହ, ଭାରତ ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟର ଶାସନ ସଚିବ ଆରତି ଆହୁଜା ପ୍ରମୁଖ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟଯେ, ଦେଶର ଯୁବକ ସମାଜ ବିଶେଷ କରି ଛାତ୍ରଛାତ୍ରୀଙ୍କୁ ଭାରତୀୟ ସଂସ୍କୃତିର ମହାନ ଗୌରବାନ୍ୱିତ ଐତିହ ଓ ପରମ୍ପରା ବିଷୟରେ ନୃତ୍ୟ ଓସଙ୍ଗୀତ ମାଧ୍ୟମରେ ସଚେତନ କରାଇବା ଏହାର ମୁଖ୍ୟ ଲକ୍ଷ୍ୟ ହୋଇଥିବା ବେଳେ ଦେଶ ବିଦେଶରୁ ଅନେକ ଖ୍ୟାତି ସମ୍ପନ୍ନ କଳାକାରମାନେ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ନିଜ କଳାକୃତୀକୁ ପ୍ରଦର୍ଶନ କରିଥାନ୍ତି । ଏହି ମହୋତ୍ସବରେ ନୃତ୍ୟ ଶିଳ୍ପୀମାନେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ, ଲୋକନୃତ୍ୟ ଏବଂ ଦେଶ ବିଦେଶର ସମର କଳା ପ୍ରଦର୍ଶିତ କରି ଶାନ୍ତି ଓ ମୈତ୍ରୀର ବାର୍ତ୍ତା ପ୍ରେରଣ କରନ୍ତି । ସେପଟେ ରାଜ୍ୟର ସଂସ୍କୃତି ଓ ପର୍ଯ୍ୟଟନର ବିଶ୍ୱବ୍ୟାପୀ ପ୍ରଚାର, ପ୍ରସାର ଓ ବିକାଶ ହେଉଥିବା ବେଳେ ଓଡିଶାକୁ ବିଶ୍ୱ ମାନଚିତ୍ରରେ ଏକ ପ୍ରମୁଖ ସାଂସ୍କୃତିକ ଓ ପର୍ଯ୍ୟଟନ କ୍ଷେତ୍ର ଭାବେ ଉପସ୍ଥାପିତ ତଥା ଜାତୀୟ ଐତିହ୍ୟର ସୁରକ୍ଷା, ପର୍ଯ୍ୟାବରଣ ପର୍ଯ୍ୟଟନର ପ୍ରସାର କରି ଦେଶ ବିଦେଶରୁ ବହୁ ସଂଖ୍ୟକ ପର୍ଯ୍ୟଟକଙ୍କୁ ଓଡ଼ିଶାମୁଖୀ କରିବା ହେଉଛି ଏହି ମହୋତ୍ସବର ମୁଖ୍ୟ ଆଭିମୁଖ୍ୟ । ତେବେ ଏହା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ଓ ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଦ୍ୱାରା ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଓ ଆର୍ଟ ଭିଜନ ସହଯୋଗରେ ଆୟୋଜିତ କରାଯାଇଥିଲା।
ଅଧିକ ପଢନ୍ତୁ: କାତାରରୁ ମୁକ୍ତ ହେଲେ ୮ ନୌସେନା ଅଧିକାରୀ