ସମ୍ବଲପୁର: ମହଙ୍ଗା ପଡ଼ିଲା କାର ଉପରେ ବସି ଷ୍ଟଣ୍ଟ କରିବା। କାର ଉପରେ ବସି ପଛକୁ ପଛୁ ଫିଲ୍ମ ଷ୍ଟାଇଲରେ ଗାଡ଼ି ଚାଳନା କରୁଥିଲେ ଯୁବକ। ଏହି ଘଟଣାରେ ବୁର୍ଲା ପୋଲିସ ଏକ ମାମଲା ରୁଜୁ କରି ୭ ଜଣଙ୍କୁ ଗିରଫ କରିବା ସହ ୨ଟି କାରକୁ ଜବତ କରିଛି।
ସୂଚନା ଅନୁଯାୟୀ, ସମ୍ବଲପୁର ହୀରାକୁଦ ଡ୍ୟାମର ଦକ୍ଷିଣ ଡାଇକରେ କାର ଉପରେ ବସି ଷ୍ଟଣ୍ଟ କରିବା ଯୁବକଙ୍କୁ ମହଙ୍ଗା ପଡିଛି । ହୀରାକୁଦ ଡ୍ୟାମ ଝାଙ୍କରାଣୀ ମନ୍ଦିରରୁ ଜିରୋପଏଣ୍ଟ ରାସ୍ତାରେ ଏକ ବୋଲେରୋର ଗାଡି ହୁଡ ଉପରେ ବସି ଷ୍ଟଣ୍ଟ କରିବା ସହ ସିଗାରେଟ ଟାଣୁଥିଲେ। ଅନ୍ୟ ଯୁବକମାନେ କାର ଡୋରରେ ବସି ଷ୍ଟଣ୍ଟ କରୁଥିଲେ। କାର ଗୁଡ଼ିକ କେତେବେଳେ ସିଧା ତ ଆଉ କେତେବେଳେ ଅଙ୍କେଇ ବଙ୍କେଇ ଚଳାଉଥିଲେ। ଫଳରେ ରାସ୍ତାରେ ଅନ୍ୟଯାତ୍ରୀମାନେ ବଡ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହି ଭିଡିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହୋଇଥିଲା। ଫଳରେ ବୁର୍ଲା ପୋଲିସ ଭିଡିଓ ଫୁଟେଜ ଆଧାରରେ ଏକ ମାମଲା ରୁଜୁ କରି ୭ ଜଣକ ଗିରଫ କରିବା ସହ ୨ଟି ଗାଡି ଜବତ କରିଛି ।