ଭୁବନେଶ୍ୱର: ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲରେ ଆଜି ୫୦ ତମ ଶୁଣାଣି ରହିଛି। ଉଭୟ ଓଡ଼ିଶା ଓ ଛତିଶଗଡ଼ ଟ୍ରିବ୍ୟୁନାଲରେ ନିଜର ପକ୍ଷ ଓ ଆପୋସ ବୁଝାମଣାର ଅଗ୍ରଗତି ବିଷୟରେ ଜଣାଇବେ। ପୂର୍ବରୁ ୪୯ଟି ଶୁଣାଣିରେ କୌଣସି ସମାଧାନ ହୋଇପାରିନାହିଁ। ଟ୍ରିବ୍ୟୁନାଲ୍ ଏପର୍ଯ୍ୟନ୍ତ ଜଳ ବଣ୍ଟନ ସମ୍ପର୍କରେ କୌଣସି ଅନ୍ତରୀଣ ବା ଚୂଡ଼ାନ୍ତ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିନାହାନ୍ତି। ତେଣୁ ଆଜି ଶୁଣାଣିରେ ଟ୍ରିବ୍ୟୁନାଲ କଣ ପରବର୍ତ୍ତୀ ନିର୍ଦ୍ଦେଶ ଦେଉଛନ୍ତି, ଓଡିଶାକୁ ନ୍ୟାୟ ମିଳିବ କି, ତା ଉପରେ ନଜର ରହିବ। ନା ତାରିଖ ପରେ ତାରିଖ ଯେମିତି ଆସୁଛି, ସେମିତି ଆଉ ଏକ ତାରିଖ ଓଡ଼ିଶା ଉପରେ ମିଳିବ କି, ତାହା ଉପରେ ନଜର ରହିଛି।
ଆଜି ୫୦ ତମ ଶୁଣାଣୀରେ ଆଶା ଆକାଂକ୍ଷା ଅନେକ ରହୁଛି, ଫଳ କଣ ଆସିବା ତାହା ଉପରେ ନଜର ରହୁଛି, ଅନ୍ୟପଟେ ଏଭଳି ସ୍ଥିତି ଗତ ୭ ବର୍ଷ ହେଲା ରାଜ୍ୟବାସୀ ଦେଖୁଛନ୍ତି, ନୂଆ ସରକାର ଆସିବା ପରେ ଟ୍ରିବ୍ୟୁନାଲ ଅପେକ୍ଷା ଆପୋସ ବୁଝାମଣା ପାଇଁ ଅଧିକ ତତ୍ପରତା ଦେଖାଦେଇଛି।
ଗତବର୍ଷ ଅଗଷ୍ଟ ମାସରେ ଉଭୟ ଓଡ଼ିଶା ଓ ଛତିଶଗଡ଼ ଆପୋସ ଆଲୋଚନା ମାଧ୍ୟମରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ପ୍ରୟାସ ଆରମ୍ଭ କରିଥିଲେ । ପ୍ରଥମେ ବୈଷୟିକ କମିଟି, ପରେ ସଚିବ, ମୁଖ୍ୟ ସଚିବ ଓ ଶେଷରେ ମୁଖ୍ଯମନ୍ତ୍ରୀ ସ୍ତରରେ ଆଲୋଚନା ପାଇଁ ସ୍ଥିର ହୋଇଥିଲା। କିନ୍ତୁ ବୈଷୟିକ ଓ ସଚିବ ସ୍ତରରେ କଥାବାର୍ତ୍ତା ହୋଇଥିଲେ ମଧ୍ୟ ଡିସେମ୍ବରରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ସ୍ତରୀୟ ଆଲୋଚନା ହୋଇପାରିନାହିଁ। ପରେ ମହାନଦୀ ପାଇଁ କମିଟି ଗଠନ କରିଥିଲେ ରାଜ୍ୟ ସରକାର।
ଜାନୁଆରୀ ୨୩ରେ ଓଡ଼ିଶାରେ ସର୍ବଦଳୀୟ ବୈଠକରେ ଏନେଇ ଆଲୋଚନା ହୋଇଥାନ୍ତା। କିନ୍ତୁ ସର୍ବଦଳୀୟ ବୈଠକ ବସିପାରି ନାହିଁ। ଜାନୁଆରୀ ୩୧ ଓ ଫେବୃଆରୀ ୧ରେ ମଧ୍ୟ ମହାନଦୀ କମିଟି ଛତିଶଗଡ଼ ଗସ୍ତ କରିନାହିଁ। ଆସନ୍ତା ଏପ୍ରିଲ୧୩ରେ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ସରିବାକୁ ଥିବା ବେଳେ ସମୟସୀମାକୁ ଆଉ ୯ ମାସ ବଢ଼ାଇବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ଓଡ଼ିଶା ସରକାର।
ଓଡ଼ିଶାର ଅଭିଯୋଗ, ଛତିଶଗଡ଼ ସରକାର ମହାନଦୀର ଉପର ମୁଣ୍ଡରେ ଏକପାଖିଆ ଭାବେ ଅନେକ ବ୍ୟାରେଜ୍ ଓ ଶିଳ୍ପଭିତ୍ତିକ ଆନିକଟ ନିର୍ମାଣ କରିଛନ୍ତି। ଏହାଦ୍ୱାରା ଅଣ-ମୌସୁମୀ ସମୟରେ ଓଡ଼ିଶାକୁ ଜଳ ପ୍ରବାହ ସାଂଘାତିକ ଭାବେ କମିଯାଉଛି । ଯାହା ଚାଷ, ପାନୀୟ ଜଳ ଏବଂ ପରିବେଶ ଉପରେ କୁପ୍ରଭାବ ପକାଉଛି।୨୦୧୬ରେ ଓଡ଼ିଶା ଏନେଇ ଆପତ୍ତି ଉଠାଇବା ପରେ ୨୦୧୮ ମସିହାରେ କେନ୍ଦ୍ର ସରକାର ‘ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍’ ଗଠନ କରିଥିଲେ।
ଅଧିକ ପଢନ୍ତୁ: ମହାନଦୀ ପାଇଁ ୪୯ ଶୁଣାଣି, ସହମତିରେ ସମାଧାନ ପାଇଁ ଉଭୟ ରାଜି: କେନ୍ଦ୍ର ମନ୍ତ୍ରୀଙ୍କ ଉତ୍ତର