ଗଞ୍ଜାମ: ଜଣେ କାର୍ଯ୍ୟରତ ଅତିରିକ୍ତ ମହିଳା ତହସିଲଦାରଙ୍କୁ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି । ଏ ନେଇ ଗୋଳନ୍ଥରା ଥାନାରେ ମାମଲାରେ ରୁଜୁ ପରେ ସମ୍ପୃକ୍ତ ପିଇଓ ବିଷ ପିଇ ଦେଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ନିର୍ଯ୍ୟାତନା ସହି ନପାରି ପିଇଓ ବିଷ ପିଇ ଦେଇଥିବା ନେଇ ତାଙ୍କ ପତ୍ନୀ ଅତିରିକ୍ତ ତହସିଲଦାରଙ୍କ ବିରୁଦ୍ଧରେ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ଦେଇଛନ୍ତି ।
ଗତ ୩ ତାରିଖରେ ଗଞ୍ଜାମ ଜିଲ୍ଲା ସୁନାପୁର ବେଳାଭୂମି ମହୋତ୍ସବର ପ୍ରଥମ ଦିନରେ ଏହି ଘଟଣା ଘଟିଛି । ଉଦଘାଟନ ଉତ୍ସବ ଅବସରରେ ଏକ ଗଣଦୌଡ଼ ଆୟୋଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହିଳା ଅତିରିକ୍ତ ତହସିଲଦାର ଡ୍ୟୁଟିରେ ଥିଲେ । ଏହି ସମୟରେ ଗହଳି ଭିତରେ ପିଇଓ ତାଙ୍କୁ ଅଶାଳୀନ ବ୍ୟବହାର କରିବା ସହ ଯୌନ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଥିଲେ । ଏ ନେଇ ସେ ଆଭ୍ୟନ୍ତରିଣ ଅଭିଯୋଗ କମିଟି ସମେତ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଉପଜିଲ୍ଲାପାଳ ମଧ୍ୟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।
ଅନ୍ୟପଟେ ପିଇଓଙ୍କୁ ଥାନାରୁ ଡକରା ଆସିଥିଲେ । ସେ ଥାନାକୁ ଯାଇ ଆସିବା ପରେ ହଠାତ ବିଷ ପିଇଦେଇଥିବା ଜଣାପଡ଼ିଛି । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ତାଙ୍କ ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ରହିଛି । ସେ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି । ୩ ଜଣିଆ ଡାକ୍ତରୀଦଳ ଚିକିତ୍ସାରେ ନିୟୋଜିତ ହୋଇଛି ।
ତେବେ ପିଇଓଙ୍କ ପତ୍ନୀ ଏ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସୁନାପରୁ ବେଳାଭୂମି ମହୋତ୍ସବରେ ଅପମାନିତ ହେବା ପରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିବାକୁ ପଦକ୍ଷେପ ନେଇଥିବା ସେ ଅଭିଯୋଗ କରିଛନ୍ତି ।