ଭୁବନେଶ୍ୱର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ ଦିବସୀୟ ଓଡ଼ିଶା ଗସ୍ତ ସାରି ଫେରିଯାଇଛନ୍ତି । ଶନିବାର ସକାଳ ୯ଟା ସମୟରେ ଭୁବନେଶ୍ୱର ଲୋକଭବନରୁ ବାହାରି ବିମାନ ବନ୍ଦର ଯାଇଛନ୍ତି । ରାଷ୍ଟ୍ରପତି ଭୁବନେଶ୍ୱରରୁ ସିଧାସଳଖ ଛତିଶଗଡ଼ ଗସ୍ତ କରିଛନ୍ତି । ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରମୁଖ ରାଷ୍ଟ୍ରପତିଙ୍କୁ ବିମାନବନ୍ଦରରେ ବିଦାୟ ଦେଇଛନ୍ତି ।
ଲୋକ ଭବନରେ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ । ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ ପୂର୍ବରୁ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ରାଜ୍ୟର ବିକାଶ ଗାଥା ସମ୍ପର୍କିତ ପୁସ୍ତିକା 'ପ୍ରଗତି ପ୍ରବାହ' ପ୍ରଦାନ କରିଛନ୍ତି ।
ରାଷ୍ଟ୍ରପତି ୬ ଦିନିଆ ଓଡ଼ିଶା ଗସ୍ତରେ ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ ଓ ପୁରୀ ଗସ୍ତ କରିଥିଲେ । ଯାଜପୁରରେ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରିବା ସହ ମା ବିରଜାଙ୍କୁ ଦର୍ଶନ କରିଥିଲେ । ଏହା ପରେ ବାଲେଶ୍ୱରସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହରେ ଯୋଗ ଦେଇଥିଲେ । ପରେ ପୁରୀ ଗସ୍ତ କରି ପିଣ୍ଡଦାନ କରିବା ସହିତ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଏହା ପରେ ଜନ୍ମମାଟି ମୟୁରଭଞ୍ଜ ଜିଲ୍ଲା ଗସ୍ତ କରିବା ପରେ ପୁଣି ଥରେ ଭୁବନେଶ୍ୱର ଫେରିଥିଲେ ।