ଭୁବନେଶ୍ୱର: ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲରେ ଆଜି ୫୦ ତମ ଶୁଣାଣି ରହିଥିବା ବେଳେ ଏହି ପ୍ରସଙ୍ଗକୁ ବିଜେଡି ଓ ବିଜେପି ମଧ୍ୟରେ ବୟାନବାଜି ତେଜିଛି। ମହାନଦୀ ଜଳ ବିବାଦ ସମାଧାନ ଦିଗରେ ରାଜ୍ୟ ବିଜେପି ସରକାର କୌଣସି ପଦକ୍ଷେପ ନେଇ ନଥିବାବେଳେ ଗତ ୧୯ ମାସରେ ଛତିଶଗଡ଼ ଅନେକ ଚେକ୍ ଡ୍ୟାମ୍ ଓ ବାଲିବନ୍ଧ ନିର୍ମାଣ କରିଥିବା ବିଜେଡି ଅଭିଯୋଗ କରିଛି। ଏପରିକି ଆପୋସ ଆଲୋଚନା ନା ନ୍ୟାୟାଧିକରଣ (ଟ୍ରିବ୍ୟୁନାଲ) ମାଧ୍ୟମରେ ବିବାଦର ସମାଧାନ ହେବ ସେନେଇ ରାଜ୍ୟ ସରକାର ଦ୍ଵନ୍ଦରେ ଥିବା ବିଜେଡି ଅଭିଯୋଗ କରିଛି।
ଅନ୍ୟପଟେ ଏହାର ଜବାବରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପାଲଟା ପ୍ରଶ୍ନ କରିବା ସହ ବିଧାନସଭାରେ ବିତର୍କ ପାଇଁ ଆହ୍ୱାନ ଦେଇଛନ୍ତି ଏବଂ କହିଛନ୍ତି କି, ୨୪ ବର୍ଷର ସରକାର ଭିତରେ ବିଜୁ ଜନତା ଦଳ ମହାନଦୀ ପାଇଁ କଣ କରିଛି ତାହା ଶ୍ୱେତପତ୍ର ମାଧ୍ୟମରେ ପ୍ରକାଶ କରୁ।
ଅଧିକ ପଢନ୍ତୁ: ମହାନଦୀ ଜଳ ବିବାଦ ମାମଲାରେ ଆଜି ଟ୍ରିବ୍ୟୁନାଲରେ ୫୦ ତମ ଶୁଣାଣି; ଓଡିଶାକୁ ମିଳିବ କି ନ୍ୟାୟ, ରହିଛି ନଜର
ଗତକାଲି (୦୬ ଫେବୃୟାରୀ) ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ବିଧାୟକ ନିରଞ୍ଜନ ପୂଜାରୀ କହିଥିଲେ, "ମହାନଦୀ ଜଳ ବିବାଦ ସମାଧାନ ପାଇଁ ରାଜ୍ୟ ବିଜେପି ସରକାରଙ୍କ କୌଣସି ସ୍ପଷ୍ଟ ଆଭିମୁଖ୍ୟ ନାହିଁ। ସରକାର ଦ୍ୱନ୍ଦ୍ୱରେ ଅଛନ୍ତି। ପ୍ରଥମେ ଆପୋସ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ବାହାର କରାଯିବ ବୋଲି କୁହାଗଲା, କିନ୍ତୁ ସେ ଦିଗରେ କୌଣସି ଅଗ୍ରଗତି ହେଲା ନାହିଁ। ପୁଣି ନ୍ୟାୟାଧିକରଣ ଯିବା କଥା କୁହାଗଲା, କିନ୍ତୁ ନ୍ୟାୟାଧିକରଣର ଅବଧିକୁ ବୃଦ୍ଧି କରିବା ପାଇଁ ନିର୍ଦ୍ଧାରିତ ସମୟରେ ଚିଠି ଲେଖାଗଲାନାହିଁ। ଗତ ୧୯ ମାସରେ ଛତିଶଗଡ଼ ଏକାଧିକ ଚେକ୍ ଡ୍ୟାମ ଓ ବାଲିବନ୍ଧ ନିର୍ମାଣ କରିଛି। ରାଜ୍ୟ ସରକାର ଗଠନ କରିଥିବା ମନ୍ତ୍ରୀସ୍ତରୀୟ କମିଟି କେବଳ ନିଜ ସଦସ୍ୟଙ୍କ ସହିତ ଦୁଇଟି ବୈଠକ କରିଛି। ଏହି କମିଟି ସହିତ ସମସ୍ତ ରାଜନୈତିକ ଦଳ ଓ ସମସ୍ତ ଅଂଶୀଦାରଙ୍କ ବୈଠକ ହେବ ବୋଲି ଦିନ ସ୍ଥିର କରାଯାଇଥିଲା। ତାହା ଶେଷ ମୁହୂର୍ତ୍ତରେ ବାତିଲ କରାଯାଇଥିଲା। ଛତିଶଗଡ଼ ଓଡ଼ିଶା ସରକାରଙ୍କ କଥାକୁ ଶୁଣିବାକୁ ପ୍ରସ୍ତୁତ ନୁହେଁ ଓ କେନ୍ଦ୍ର ସରକାର ନିରବଦ୍ରଷ୍ଟା ସାଜିଛନ୍ତି। ଛତିଶଗଡ଼ ଏବେ ଅଧିକ ଜଳ ରୋକିବାକୁ ତଳ ଅଞ୍ଚଳରେ ଓ ଉପ ନଦୀରେ ମଧ୍ୟ ଚେକ୍ ଡ୍ୟାମ୍ ଓ ବାଲି ବନ୍ଧ ନିର୍ମାଣ କରୁଛି। ତୁରନ୍ତ ରାଜ୍ୟବାସୀଙ୍କ ସମ୍ମୁଖରେ ରାଜ୍ୟ ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ। ମନ୍ତ୍ରୀସ୍ତରୀୟ ପ୍ରତିନିଧି ମଣ୍ଡଳୀ ଜାନୁଆରୀ ୩୧ରେ ଛତିଶଗଡ଼ ଯାଇ ସେଠାରେ ସେମାନଙ୍କ ଏକ ମନ୍ତ୍ରୀସ୍ତରୀୟ ପ୍ରତିନିଧିମଣ୍ଡଳୀଙ୍କ ସହିତ ବୈଠକ କରିବା ପାଇଁ ସ୍ଥିର ହୋଇଥିଲା, ଯାହାକୁ ବାତିଲ କରି ଦିଆଯାଇଛି। ବର୍ତ୍ତମାନ ଓଡ଼ିଶା, ଛତିଶଗଡ଼ ଓ କେନ୍ଦ୍ରରେ ଟ୍ରିପଲ ଇଞ୍ଜିନ ସରକାର ଥିବାରୁ ଏହାର ସମାଧାନ ହୋଇପାରିବା ନେଇ ଯେଉଁ ଆଶା ଦେଖାଯାଉଥିଲା ସେ ଦିଗରେ ସେପରି କିଛି ଅଗ୍ରଗତି ହୋଇନାହିଁ। ଦଳୀୟ ସ୍ଵାର୍ଥକୁ ଅଗ୍ରାଧିକାର ଦେଇ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଉଛନ୍ତି ବିଜେପି ସରକାର ବୋଲି ବିଜେଡି ଅଭିଯୋଗ କରିଛି।
ଅଧିକ ପଢନ୍ତୁ: ମହାନଦୀ ଜଳ ବିବାଦ: ଆଜି ବସିବ କମିଟିର ପ୍ରଥମ ବୈଠକ
ବିଜେଡିର ଅଭିଯୋଗ ଉପରେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖି କହିଛନ୍ତି, "ଓଡ଼ିଶାବାସୀ ସେମାନଙ୍କୁ ୨୪ ବର୍ଷ ଶାସନ କରିବାକୁ ସୁଯୋଗ ଦେଇଥିଲେ। ଏବେ କାଦୁଅ ନ ଫୋପାଡ଼ି ବିଧାନସଭାରେ ଏ ପ୍ରସଙ୍ଗ ଆଣିବାକୁ ପ୍ରସ୍ତୁତ ହୁଅନ୍ତୁ। ସେମାନଙ୍କୁ ପକ୍ଷ ରଖିବା ପାଇଁ ଯେତିକି ସମୟ ଦରକାର ଦିଆଯିବ। ୨୪ ବର୍ଷ ଭିତରେ ସେମାନେ କ’ଣ କରିଛନ୍ତି, ତାହା ଜାଣିବାର ଅଧିକାର ଓଡ଼ିଶାବାସୀଙ୍କ ଅଛି। ଯେଉଁ ସମୟରେ ଗୋଟିଏ ପରେ ଗୋଟିଏ ବ୍ୟାରେଜ୍ ନିର୍ମାଣ ଚାଲିଥିଲା, ସେ ସମୟରେ ବିଜେଡି ସରକାର କ’ଣ କରିଥିଲା ତାହାର ଶ୍ୱେତପତ୍ର ପ୍ରକାଶ କଲେ ଓଡ଼ିଶାବାସୀ ସବୁ କିିଛି ଜାଣିପାରିବେ। ୧୭ରୁ ବିଧାନସଭା ଆରମ୍ଭ ହେଉଛି। ବିଜେଡି ମୁଖ୍ୟ ବିରୋଧୀ ଦଳ ଭାବେ ଏ ସମ୍ପର୍କରେ ବିଧାନସଭାରେ ବିତର୍କ ପାଇଁ ନୋଟିସ୍ କରୁ। ଛତିଶଗଡ଼ର ବ୍ୟାରେଜ୍ ନିର୍ମାଣ ରୋକିବାକୁ ବିଜେଡି ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ଦସ୍ତାବିଜ୍ ରଖାଯାଉ" ବୋଲି କହିଛନ୍ତି ସୁରେଶ ପୂଜାରୀ।
ଅଧିକ ପଢନ୍ତୁ: ମହାନଦୀ ପାଇଁ ୪୯ ଶୁଣାଣି, ସହମତିରେ ସମାଧାନ ପାଇଁ ଉଭୟ ରାଜି: କେନ୍ଦ୍ର ମନ୍ତ୍ରୀଙ୍କ ଉତ୍ତର