ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୬ରେ ପାକିସ୍ତାନର ଡ୍ରାମାବାଜି ଥମିବାର ନାଁ ନେଉନି । ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ପୁଣି ଥରେ ନିଜ ସରକାରଙ୍କ ପରାମର୍ଶ ନେବାକୁ ଯାଉଛି । ଏହି ପରାମର୍ଶ ଫେବୃଆରୀ ୧୫ରେ ଭାରତ ବିପକ୍ଷ ମ୍ୟାଚ୍ ବହିଷ୍କାରକୁ ନେଇ ହେବ । ପୁନର୍ବାର ନିଜ ନିଷ୍ପତ୍ତି ଉପରେ ପୁନଃବିଚାର କରିବାକୁ ଶ୍ରୀଲଙ୍କା କ୍ରିକେଟ୍ ଅପିଲ୍ କରିଛି ।
ପାକିସ୍ତାନ ସରକାର ପିସିବିକୁ ଟି-୨୦ ବିଶ୍ୱକପ୍ ଖେଳିବାକୁ ଅନୁମତି ଦେଇଛି । ମାତ୍ର ଭାରତ ବିରୋଧରେ ମ୍ୟାଚ୍ ଖେଳିବା ନେଇ ପାକିସ୍ତାନ ସରକାର ଅନୁମତି ଦେଇ ନାହାନ୍ତି । ଏହି ମ୍ୟାଚ ଆଇସିସି ଓ ଏହାର ବ୍ରଡକାଷ୍ଟର୍ସ ପାଇଁ ସବୁଠୁ ଆୟ ମିଳୁଥିବା ମୁକାବିଲା । ଯଦି ଏହି ମ୍ୟାଚ୍ ନ ହୁଏ ତେବେ ଆଇସିସି ସହ ବ୍ରଡକାଷ୍ଟର୍ସ ଅନ୍ୟ କ୍ରିକେଟ୍ ବୋର୍ଡ ଆର୍ଥିକ କ୍ଷତି ସହିବେ।
ମ୍ୟାଚ୍ ନ ହେଲେ ଆୟୋଜକ ଶ୍ରୀଲଙ୍କା କ୍ରିକେଟର ବହୁତ ଆର୍ଥିକ କ୍ଷତି ଘଟିବାର ସମ୍ଭାବନା ରହିଛି । ଏହାକୁ ନେଇ ଶ୍ରୀଲଙ୍କା କ୍ରିକେଟ୍ ପିସିବିକୁ ଆନୁଷ୍ଠାନିକ ଭାବେ ଚିଠି ଲେଖିଛି । ଏଥିରେ କୁହାଯାଇଛି ଯେ, ଯଦି ଫେବୃଆରୀ ୧୫ରେ ଭାରତ-ପାକିସ୍ତାନ ମ୍ୟାଚ୍ ନ ହୁଏ ତେବେ କଣ ହେବ ।
- ଟିକେଟ୍ ବିକ୍ରିରେ ବହୁତ କ୍ଷତି ହେବ ।
- ହୋଟେଲ୍, ଯାତାୟତ ଓ ପ୍ରାୟୋଜକରୁ ମିଳିବାକୁ ଥିବା ଆୟ ହ୍ରାସ ପଇବ ।
- ଶ୍ରୀଲଙ୍କାରେ ଟୁର୍ଣ୍ଣାମେଣ୍ଟର ଛବିକୁ କ୍ଷତି ପହଞ୍ଚାଇବ ।
ସୂତ୍ର ମୁତାବକ, ମୋହସିନ ନକଭି ଶ୍ରୀଲଙ୍କା କ୍ରିକେଟର ମୁଖ୍ୟ ଶାମି ସିଲଭାଙ୍କୁ ଭରସା ଦେଇଛନ୍ତି ଯେ, ସେ ଏହି ମାମଲାରେ ପାକିସ୍ତାନ ସରକାରଙ୍କ ସହ ଆଲୋଚନା କରିବେ । ତା ପରେ ଯାଇ ଉତ୍ତର ରଖିବେ । ପିସିବି ଅଧ୍ୟକ୍ଷ ମୋହସିନ ନକଭି ଗତକାଲିଠୁ ଦେଶରେ ନ ଥିଲେ । ସେ ଆଜି ସ୍ୱଦେଶ ଫେରୁଛନ୍ତି । ଏହା ପରେ ଶ୍ରୀଲଙ୍କାର ଅପିଲ୍ ଉପରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସହ ଆଲୋଚନା କରିବେ । ଏହି ପ୍ରସଙ୍ଗରେ ସୋମବାର ସୁଦ୍ଧା ନିଷ୍ପତ୍ତି ନିଆଯାଇପାରେ ।
ପିସିବିକୁ କଣ ସନ୍ଦେଶ ଦେଇଛି ଶ୍ରୀଲଙ୍କା
ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ମନେ ପକାଇ ଦେଇଛି ଯେ, ମୁସ୍କିଲ ସମୟରେ ସେ ସର୍ବଦା ପାକିସ୍ତାନର ସମର୍ଥନ କରି ଆସିଛି । ଆଉ ଏବେ ସଂପ୍ରତି ସ୍ଥିତିକୁ ଦେଖି ପାକିସ୍ତାନ କ୍ରିକେଟ୍ ବୋର୍ଡ ନିଜର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବା ଉଚିତ୍ । ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ମନେ ପକାଇ କହିଛି ଯେ, ତାଙ୍କ ଦଳ କଠିନ ଓ ସମ୍ବେଦନଶୀଳ ସ୍ଥିତିରେ ଅନେକ ଥର ପାକିସ୍ତାନ ଗସ୍ତ କରିଛି । ସେହି ସମୟରେ ଅନ୍ୟ କ୍ରିକେଟ୍ ଦଳ ପାକିସ୍ତାନ ଗସ୍ତ କରୁ ନ ଥିଲେ । ଏହି ନିଷ୍ପତ୍ତି କ୍ରିଡା ଭାବନା ଏବଂ ଦୁଇ ବୋର୍ଡର ପରସ୍ପରର ସମ୍ମାନ ଆଧାରରେ ନିଆଯାଇଥିଲା । ତେଣୁ ପାକିସ୍ତାନ ବର୍ତ୍ତମାନ ଆମକୁ ସମର୍ଥନ କରିବା ଉଚିତ୍ ବୋଲି ଶ୍ରୀଲଙ୍କା କ୍ରିକେଟ୍ କହିଛି ।
Also read: U19 World Cup: ଇଂଲଣ୍ଡକୁ ହରାଇ ଷଷ୍ଠ ଥର ବିଶ୍ୱକପ୍ ଜିତିଲା ଭାରତ, ହିରୋ ସାଜିଲେ ବୈଭବ ସୂର୍ଯ୍ୟବଂଶୀ