ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଦାନା’। ଗତ କିଛି ଘଣ୍ଟା ହେବ ବାତ୍ୟା ଘଣ୍ଟାପ୍ରତି ୧୮ କିମି ବେଗରେ ଗତି କରୁଛି। ପାରାଦୀପ ରାଡାର ଇମେଜରେ ବାତ୍ୟାର ଚିତ୍ର ଦୃଶ୍ୟମାନ ହୋଇଛି ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ର ସୂଚନା ଅନୁସାରେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବେ ଗଭୀର ଅବପାତଟି ଆଜି ବାତ୍ୟାରେ ପରିଣତ ହୋଇଛି। ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ଆଗକୁ ବଢୁଛି। ବାତ୍ୟାଟି ବର୍ତ୍ତମାନ ପାରାଦୀପଠୁ ୫୬୦ ଓ ସାଗରଦ୍ୱୀପରୁ ୬୩୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି। ଗୁରୁବାର ଏହା ଭୀଷଣ ବାତ୍ୟାରେ ପରିଣତ ହୋଇ ପୁରୀ ଏବଂ ସାଗରଦ୍ୱୀପ ମଧ୍ୟରେ ଗୁରୁବାର ମଧ୍ୟରାତ୍ର କିମ୍ବା ଶୁକ୍ରବାର ଭୋର ସମୟରେ ଉପକୂଳ ଅତିକ୍ରମ କରିବ। ତେବେ ବାତ୍ୟା ପ୍ରକୃତରେ କେଉଁଠି ଲ୍ୟାଣ୍ଡଫଲ୍ କରିବ ଏଯାଏଁ ଆଇଏମଡି ସ୍ପଷ୍ଟ କରିନି । ଭୀଷଣ ବାତ୍ୟା ଉପକୂଳ ଅତିକ୍ରମ ବେଳେ ପବନର ବେଗ ୧୦୦ରୁ ୧୨୦ ମଧ୍ୟରେ ରହିବ। ବାତ୍ୟାର ପ୍ରଭାବ ଉତ୍ତର ଓଡ଼ିଶା ଉପରେ ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ରହିଛି ।
ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୭ଟି ଜିଲ୍ଲାକୁ ଗୁରୁବାର ଏବଂ ଶୁକ୍ରବାର ଦୁଇଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ହୋଇଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ଗୋପାଳପୁର, ପାରାଦୀପ ଏବଂ ଧାମରା ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି ହୋଇଛି।