ଭୁବନେଶ୍ୱର: ବାତ୍ୟା ‘ଦାନା’ ମୁକାବିଲା ପାଇଁ ଆଉ ୫ଟି କେନ୍ଦ୍ରୀୟ ବିପର୍ଯ୍ୟୟ ପରିଚାଳନା ଫୋର୍ସ (ଏନଡିଆରଏଫ୍) ଭୁବନେଶ୍ୱର ବିମାନବନ୍ଦରରେ ପହଁଚିଛନ୍ତି । ପଞ୍ଜାବ ଭଟିଣ୍ଡାରୁ ୧୫୦ ଜଣିଆ ସଦସ୍ୟଙ୍କୁ ନେଇ ବାୟୁସେନାର ଦୁଇଟି ବିମାନରେ ଆଇଏଲ ୭୬ ଓ ଏନ ୩୨ ବିମାନ ଓଡ଼ିଶାରେ ପହଁଚିଛନ୍ତି । ଏମାନେ ୫ଟି ଜିଲ୍ଲା ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ମୁତୟନ କରାଯାଇଛି । ବିଭିନ୍ନ ଅତ୍ୟାଧୁନିକ ସାମଗ୍ରୀ ସମେତ ଏମାନେ ବିଭିନ୍ନ ଜିଲ୍ଲାକୁ ଗସ୍ତ କରିବ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଦାନା ଆସନ୍ତାକାଲି ଭୀଷଣ ବାତ୍ୟାର ରୂପ ନେବ ବୋଲି ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ଆଗକୁ ବଢୁଛି । ବାତ୍ୟାଟି ପାରାଦୀପଠୁ ୫୬୦ ଓ ସାଗରଦ୍ୱୀପରୁ ୬୩୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ୨୪ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ସ୍ଥଳ ଭାଗ ଛୁଇଁବାର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ୧୦୦ରୁ ୧୧୦କିମି ଘଣ୍ଟା ପ୍ରତି ରହିବ । ୭ଟି ଜିଲ୍ଲାରେ ଆସନ୍ତାକାଲି ଏବଂ ଶୁକ୍ରବାର ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ହୋଇଛି । ସମସ୍ତ ବନ୍ଦରକୁ ୨ ନମ୍ବର ବିପଦ ସଂକେତ ଦିଆଯାଇଛି ।