କେନ୍ଦ୍ରାପଡ଼ା: ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାରଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ରାପଡ଼ା ଏବଂ ଢେଙ୍କାନାଳରେ ଆରମ୍ଭ ହୋଇଛି ବିସର୍ଜନ । ଡିଜେ ବଦଳରେ ପାରମ୍ପାରିକ ବାଦ୍ୟରେ ମେଲାଣି ନେଉଛନ୍ତି ଧନଧାତ୍ରୀ ମାଆ ଗଜଲକ୍ଷ୍ମୀ । ବିଭିନ୍ନ ପୂଜା କମିଟି ପକ୍ଷରୁ ସରକାରଙ୍କ ନିର୍ଦ୍ଦେଶନାମାକୁ ପାଳନ କରାଯାଇଛି ।
ଅନ୍ୟପକ୍ଷରେ ଦୁର୍ଗା ପୂଜା ଏବଂ ଲକ୍ଷ୍ମୀ ପୂଜା ପାଇଁ ନିର୍ମାଣ କରାଯାଇଥିବା ସମସ୍ତ ତୋରଣ ହଟାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ହାଇକୋର୍ଟଙ୍କ ପକ୍ଷରୁ ସ୍ଵତନ୍ତ୍ର ଭାବେ ସହରର ସମସ୍ୟା ସମ୍ପର୍କିତ ମାମଲାର ଶୁଣାଣି କରାଯାଇଛି । ଆଜି ଅପରାହ୍ନ ୨ଟା ସୁଦ୍ଧା ତୋରଣ ଓ ଲାଇଟ ସାଜସଜ୍ଜାକୁ ଖୋଲିବାକୁ କୋର୍ଟ କହିଛନ୍ତି । ଯଦି କୌଣସି ପୂଜା କମିଟି ଏହି ନିର୍ଦ୍ଦେଶକୁ ଅବମାନନା କରନ୍ତି ତେବେ ପ୍ରଶାସନ ଜେସିବି ଲଗାଇ ତୋରଣ ହଟାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯଦି ନିର୍ଦ୍ଧାରିତ ସମୟ ଭିତରେ ତୋରଣ ନ ଖୋଲନ୍ତି ତେବେ ଆସନ୍ତା ବର୍ଷ ସମ୍ପୃକ୍ତ ପୂଜା କମିଟିକୁ ତୋରଣ ନିର୍ମାଣ କରିବାକୁ ଏନଓସି ମିଳିବ ନାହିଁ ।
ସେହିପରି ଦଶହରା ପାଇଁ ନିର୍ମାଣ ହୋଇଥିବା ତୋରଣ ନ ହଟାଯିବାକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ପ୍ରଶାସନ ଠାରୁ ଜବାବ ତଲବ କରିଥିଲେ । ୨୪ ଘଣ୍ଟା ଭିତରେ ଗେଟ୍ ହଟାଇବାକୁ ସିଏମସି କମିଶନର ସବୁ ପୂଜା ମଣ୍ଡପକୁ ଚିଠି ଲେଖିଛନ୍ତି । ସେହିପରି ଛାତ ଏବଂ ଉଚ୍ଚ ସ୍ଥାନରେ ଥିବା ହୋର୍ଡ଼ିଂକୁ ହଟାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।