ଶନିବାର ପବିତ୍ର ମାଘ ପୂର୍ଣ୍ଣିମା । ଏହି ଅବସରରେ ଶ୍ରୀମନ୍ଦିରରେ ଭକ୍ତଙ୍କୁ ଗଜଉଧାରଣ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂରତି । ମଧ୍ୟାହ୍ନ ଧୂପ ପରେ ମଇଲମ ହେବାପରେ ସିଂହାରୀ ସେବକଙ୍କ ଦ୍ୱାରା ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ କରାଯାଏ । ବିଶ୍ୱାସ ରହିଛି ଯେ, ଗଜ ଉଦ୍ଧାରଣ ବେଶ ଦର୍ଶନ କରି ଭକ୍ତିର ସହିତ ଗଜେନ୍ଦ୍ର ସ୍ତୁତି ପାଠ କଲେ ଅପାର ପୁଣ୍ୟ ଲାଭ ହୁଏ ।
ଏହି ବେଶରେ ଶ୍ରୀଜଗନ୍ନାଥ ଚତୁର୍ଭୁଜ ହୋଇ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରି ଠାକୁର ଗରୁଡ ଉପରେ ବସିବା ଭଙ୍ଗୀରେ ଥାଇ ଲକ୍ଷ୍ମୀ ପ୍ରତିମାଙ୍କୁ କୋଳରେ ଧାରଣ କରିବେ । ଶ୍ରୀ ବଳଭଦ୍ର ଚତୁର୍ଭୁଜରେ ଶଙ୍ଖ, ଚକ୍ର, ହଳ, ମୁଷଳ ଧାରଣ କରି ବାସୁଦେବଙ୍କ ରୂପରେ ବିରାଜମାନ କରିବେ । ସେହିପରି ଦେବୀ ସୁଭଦ୍ରା ଶ୍ରୀକୃଷ୍ଣଙ୍କ ସଦୃଶ ପାଦ ଛନ୍ଦି ଏକ ପଦ୍ମ କଢ଼ ଧରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ଏହି ସମୟରେ ଶ୍ରୀଜିଉଙ୍କ ପାଖରେ କ୍ଷୀରି, ଅମାଲୁ ଭୋଗ ଓ ସନ୍ଧ୍ୟା ଧୂପ ପୂଜା ହୁଏ । ସନ୍ଧ୍ୟାଧୂପ ଶେଷ ପରେ ସର୍ବସାଧାରଣ ଦର୍ଶନ ବା ସାହାଣ ମେଲା ଅନୁଷ୍ଠିତ ହୁଏ । ସାହାଣ ମେଲା ଦର୍ଶନ ପରେ ମହାସ୍ନାନ ହୋଇ ଶ୍ରୀଜିଉଙ୍କର ଅନ୍ୟାନ୍ୟ ନୀତି କରାଯାଏ ।
ପୌରାଣିକ ତଥ୍ୟ ଅନୁଯାୟୀ, ଏକଦା ବରୁଣ ହ୍ରଦରେ ଗଜରାଜ ସ୍ନାନ କରୁଥିବା ସମୟରେ ସେହି ହ୍ରଦରେ ଥିବା ଗୋଟିଏ ବିରାଟକାୟ କୁମ୍ଭୀର ଆକ୍ରମଣ କଲା । କୁମ୍ଭୀର ଆକ୍ରମଣରୁ ଉଦ୍ଧାର ପାଇବାର କୈଣସି ଉପାୟ ନଦେଖି ବିକଳରେ ପୁରୁଷୋତ୍ତମ ଭଗବାନଙ୍କୁ ଗଜରାଜ ପ୍ରାର୍ଥନା କରିଥିଲେ । ଗଜରାଜଙ୍କ ପ୍ରାର୍ଥନାରେ ବିଶ୍ଵନିଅନ୍ତା ସନ୍ତୁଷ୍ଟ ହୋଇ ତତ୍କ୍ଷଣାତ ଚକ୍ରପେଷି କୁମ୍ଭୀରକୁ ମାରି ଭକ୍ତ ଗଜରାଜଙ୍କୁ ରକ୍ଷା କରିଥିଲେ । ସେହି ପୌରାଣିକ ଆଖ୍ୟାର ସ୍ମୃତିରେ ଶ୍ରୀମନ୍ଦିରରେ ଅତ୍ୟନ୍ତ ପୁରାତନ ସମୟରୁ ଶ୍ରୀବିଗ୍ରହମାନଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଆସୁଛି ।
ଅଧିକ ପଢନ୍ତୁ : ଆରମ୍ଭ ହେଲା ନାଟମଣ୍ଡପ ମରାମତି କାର୍ଯ୍ୟ