ସମ୍ବଲପୁର: ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଏକ ବଡ଼ ଗଞ୍ଜେଇ ଚାଲାଣ ରାକେଟ୍ର ପର୍ଦ୍ଦାଫାସ କରିଛି। ସମ୍ବଲପୁର ଶାସନ ଅଞ୍ଚଳର ଟୋଲଗେଟ୍ ନିକଟରେ ଏକ କଣ୍ଟେନରରେ ଗୁପ୍ତ ଚାମ୍ବର କରି ଚାଲାଣ ହେଉଥିବା ପ୍ରାୟ ୧୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ବୋଲି ଜଣାପଡ଼ିଛି।
ଅବକାରୀ ବିଭାଗ ସନ୍ଦେହ ଆଧାରରେ କଣ୍ଟେନରକୁ ଅଟକାଇ ଯାଞ୍ଚ କରିଥିଲା। ତଦନ୍ତ ବେଳେ କଣ୍ଟେନର ଭିତରେ ସ୍ୱତନ୍ତ୍ର ଭାବେ ତିଆରି ହୋଇଥିବା ସିକ୍ରେଟ୍ ଚାମ୍ବର ଠାବ ହୋଇଥିଲା। ଏହାକୁ ଖୋଲିବା ପରେ ସେଥିରୁ ୪୮ଟି ବସ୍ତାରେ ଭର୍ତ୍ତି ଗଞ୍ଜେଇ ବାହାରିଥିଲା।
ପ୍ରାଥମିକ ପଚରାଉଚରାରେ ଅଭିଯୁକ୍ତମାନେ କହିଛନ୍ତି ଯେ, ଏହି ଗଞ୍ଜେଇ ବରଗଡ଼ରୁ ମଧ୍ୟପ୍ରଦେଶ ଚାଲାଣ ହେଉଥିଲା। ଘଟଣାରେ କଣ୍ଟେନର ଚାଳକ ସମେତ ୨ ଜଣଙ୍କୁ ଗିରଫ କରାଯାଇଛି।
ଅବକାରୀ ଗୁଇନ୍ଦା ବିଭାଗ ବର୍ତ୍ତମାନ ସମ୍ପୂର୍ଣ୍ଣ ଚାଲାଣ ନେଟୱର୍କର ଖୋଳତାଡ଼ କରୁଛି। ଗଞ୍ଜେଇର ଉତ୍ସ, ଏହାର ପ୍ରକୃତ ଗନ୍ତବ୍ୟସ୍ଥଳ ଓ ରାକେଟ୍ରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ତଦନ୍ତ ଜାରି ରହିଛି।