ଭୁବନେଶ୍ୱର : ଲଗାଣ ବର୍ଷା ପାଇଁ ରାଜ୍ଯର ୪ ଜିଲ୍ଲାକୁ ରେଡ୍ ଆର୍ଲଟ ଜାରି ହୋଇଛି। ଏଥିପାଇଁ ଏହିସବୁ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ଲଗାତାର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ ଜାରି କରିଛନ୍ତି । ଜିଲ୍ଲାର ସମସ୍ତ ବିଭାଗ ଓ କାର୍ଯ୍ୟାଳୟର ଅଧିକାରୀ ଏବଂ କର୍ମଚାରୀଙ୍କୁ ପୂର୍ବରୁ ମଞ୍ଜୁର ହୋଇଥିବା ସମସ୍ତ ପ୍ରକାର ଛୁଟି ତତ୍କାଳ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବାତିଲ କରାଯାଇଛି । ନିର୍ଦ୍ଦେଶାନୁସାରେ, ଛୁଟିରେ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ତୁରନ୍ତ ନିଜ ଡ୍ୟୁଟିରେ ଯୋଗଦେଇ ନିଜ ନିଜ ମୁଖ୍ୟାଳୟରେ ଉପଲବ୍ଧ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନୁମତି ବିନା କୌଣସି ଅଧିକାରୀ କିମ୍ବା କର୍ମଚାରୀ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ।
ବର୍ଷା ପାଇଁ ସତର୍କତା ସ୍ବରୁପ ଆସନ୍ତାକାଲି ଭଦ୍ରକ ଜିଲ୍ଲାରେ ୨୭୧ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଧାମନଗର, ଭଣ୍ଡାରୀପୋଖରୀ, ତିହିଡ଼ିରେ କିଛି ସ୍କୁଲ୍ ବନ୍ଦ ରହିବ। ଚାନ୍ଦବାଲି ଓ ବାସୁଦେବପୁର ବ୍ଲକ୍ର କିଛି ସ୍କୁଲ୍ ମଧ୍ୟ ବନ୍ଦ ରହିବ ।
ସେହିପରି ମୟୂରଭଞ୍ଜ ଜିଲ୍ଲାରେ ମଧ୍ଯ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ଆସନ୍ତାକାଲି ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରୀ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ଅଙ୍ଗନବାଡି ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ କଲେଜ ଗୋଟିଏ ଦିନ ପାଇଁ ଛୁଟି ରଖିବା ପାଇଁ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସ୍କୁଲରେ ଉପସ୍ଥିତ ରହିବା ସହ ସରକାରୀ ନିର୍ଦ୍ଦେଶର ପାଳନ କରିବେ ।