ପୁରୀ: ଆସନ୍ତାକାଲି ସୋମବାର ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନିତିକାନ୍ତି ପାଇଁ ପୁରୀର ଶ୍ରୀଜଗନ୍ନାଥ ମନ୍ଦିରରେ ଚାରି ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ। ଆସନ୍ତାକାଲି ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଏନେଇ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଗର୍ଭଗୃହରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ।
ଶ୍ରାବଣ ମାସର ଶୁକ୍ଲ ପକ୍ଷର ପଞ୍ଚମ ଦିନ ଶ୍ରାବଣ ଶୁକ୍ଳ ପଞ୍ଚମୀ ଅବସରରେ ଖସାପଡ଼ା ନୀତି ଅନୁଷ୍ଠିତ ହୋଇଥାଏ। ଦ୍ୱିତୀୟ ଭୋଗମଣ୍ଡପ ନୀତି ସମାପ୍ତ ହେବା ପରେ ଏହି ସ୍ୱତନ୍ତ୍ର ନିତିକାନ୍ତିି କରାଯିବ।
ଏହି ଖସାପଡା ନୀତି ଶ୍ରୀଜିଉଙ୍କର ଶ୍ରୀପୟର ସୁରକ୍ଷା ଲାଗି କରାଯାଇଥାଏ । ମହପ୍ରଭୁଙ୍କ ଶ୍ରୀପୟରକୁ ଧଳା କପଡାରେ ଘୋଡାଇ ଦିଆଯାଏ । ଏହି ନୀତି ପାଇଁ ପୂର୍ବଦିନରୁ ଦେଉଳକରଣ ଧଳାକନା ଧୋଇ ଶୁଖାଇ ଗାରଦରେ ଜମା ଦେଇଥାନ୍ତି । ସେହିପରି ଶୁଦ୍ଧସୁଆର ଖଳି, କଇଁଥ ଅଠା ଯୋଗାଇଥାନ୍ତି । ମଧ୍ୟାହ୍ନ ଧୂପ ପରେ ଜୟ ବିଜୟ ଦ୍ୱାର ବନ୍ଦ କରାଯାଏ । ବେହେରଣ ଦ୍ୱାର ଦେଇ ଦଇତାପତିମାନେ ଗର୍ଭଗୃହକୁ ଯାଇ ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କର ଏହି ଗୁପ୍ତ ନୀତି ସମ୍ପନ୍ନ କରିଥାନ୍ତି । ବର୍ଷକୁ ଦୁଇ ରୁ ତିନି ଥର ଏହି ସେବା ଅନୁଷ୍ଠିତ ହୋଇଥାଏ । ଗୁଣ୍ଡିଚା ଯାତ୍ରା ସରିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଶ୍ରୀଅଙ୍ଗ ଶ୍ରୀପୟର ସୁରକ୍ଷା ପାଇଁ ଏହି ଖସାପଡା ନୀତି ଅନୁଷ୍ଠିତ ହୋଇଥାଏ ।
ସେହିପରି ଦିଅଁମାନେ ଦୋଳ ପୂର୍ଣ୍ଣିମାରେ ହୋଲି ଖେଳିବା ଯୋଗୁଁ ତାଙ୍କ ଶ୍ରୀଅଙ୍ଗର କେତେକ ଅଂଶ କ୍ଷତବିକ୍ଷତ ହୋଇଯାଇଥାଏ । ତେଣୁ ଏଥିପାଇଁ ମଧ୍ୟ ଖସାପଡା ନୀତି ହୋଲି ପରେ ଅନୁଷ୍ଠିତ ହୋଇଥାଏ ।
ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କୁ ମହାସ୍ନାନ ଓ ବେଶ କରାଯିବ । ପରେ ଆଳତି, ସନ୍ଧ୍ୟା ଧୂପ, ଚନ୍ଦନ ଲାଗି, ବଡ ସିଂହାର ବେଶ, ବଡ ସିଂହାର ଭୋଗ, ରାତ୍ର ପହୁଡ ହେବ ।